କରୋନା କାଳରେ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

ଝରିଗାଁ, ଏନ୍ଏନ୍ଏସ୍: କରୋନା ପାଇଁ ଝରିଗାଁ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଝରିଗାଁ ବ୍ଲକ୍ ସଦରମହକୁମା ସ୍ଥିତ ଶିରାଗୁଡା ସାହିର ରଶ୍ମି ରଞ୍ଜନ ପଟ୍ଟନାୟକ (ବୁନା)ଙ୍କ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର ପଛ ପଟରୁ କବାଟ ତାଡି ଘର ଭିତରକୁ ପଶିଥିଲେ। ଲୁହା ଆଲମାରୀ ଭିତରେ ଥିବା ଟଙ୍କା ସହ ସୁନା ଓ ରୁପା ଗହଣା ଗୁଡିକୁ ଚୋରି କରି ନେଇଯାଇଥିଲେ। ଶ୍ରୀ ପଟ୍ଟନାୟକଙ୍କ ପୁଅ ରାତିରେ ଉଠିବାବେଳେ ଘରର କବାଟ ଖୋଲା ଥିବା ଦେଖିଥିଲେ। ପରେ ଘରେ ସମସ୍ତଙ୍କୁ ଉଠାଇ ଥିଲେ। ପରିବାର ଲୋକ ଉଠି ଦେଖିଲା ବେଳେ ଲୁହା ଆଲମାରୀ ରେ ଥିବା ଟଙ୍କା ସହ ସୁନା ଓ ରୁପା ଗହଣା ଚୋରି ହୋଇଥିବା ଜାଣିପାରିଥିଲେ। ଦୁର୍ବୁତ୍ତ ମାନେ ଚତୁରତାର ସହ ଚୋରି କରିବା ସହ ପ୍ରମାଣ ନଷ୍ଟ ପାଇଁ ସମସ୍ତ ଗହଣାର ଖୋଳ ଗୁଡିକୁ ପାଣିରେ ପକାଇ ଚାଲିଯାଇଥିଲେ,ଏପରିକି କିଛି ବଡ଼ପଥର ମଧ୍ୟ ଘରର ପଛ କବାଟ ପାଖରେ ରଖିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ପହଞ୍ଚି ଝରିଗାଁ ପୁଲିସ ତଦନ୍ତ ଜାରି ରଖିଛି।