୩୦ ଭରି ସୁନା ଅଳଙ୍କାର ସହିତ ନଗଦ ୧୨ ଲକ୍ଷ ଟଙ୍କା ଲୁଟ୍

ଜୟପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଭଏଁରିପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ସଶସ୍ତ୍ର ଡ଼କାୟତି । ସୌରଭ ଜୈନ ନାମକ ଜଣେ ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତିରେ ଏକ ଡ଼କାୟତ ଦଳ ପଶି ୩୦ ଭରି ସୁନା ଅଳଙ୍କାର ସହିତ ନଗଦ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ସମୟରେ ୫ରୁ ୬ ଜଣ ମୁଖାପିନ୍ଧା ଦୁର୍ବୃତ ସୌରଭଙ୍କ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଏହି ସମୟରେ ପରିବାର ସଦସ୍ୟ ନିଦରୁ ଉଠି ପଡିବାରୁ ସେମାନେ ଲୁହାରଡ଼ା ଓ ବନ୍ଧୁକ ଦେଖାଇ ସେମାନଙ୍କୁ ଭୟଭିତ କରାଇଥିଲେ । ଲୁଟ୍ ପାଟ୍ କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।

ଖବର ପାଇ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ବ୍ୟବସାୟୀଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗକୁ ଭିତି କରି ଜୟପାଟଣା ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ହେଲେ ଅଦ୍ୟାବଧି ଏହି ଡ଼କାୟତ ଗ୍ୟାଙ୍ଗ୍ ର ଟେର୍ ପାଇନି ପୋଲିସ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ଜୟପାଟଣା ଥାନା ଅନ୍ତର୍ଗତ ଧନଶୂଳି ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡ଼କାୟତି ହୋଇଥିଲା । ଡ଼କାୟତ ମାନେ ୪ ଭରି ସୁନା ଅଳଙ୍କାର ଓ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଆଜି ଯାଏଁ ଘଟଣାରେ ଜଡ଼ିତ ଡ଼କାୟତ ଗ୍ୟାଙ୍ଗ୍ କୁ ପୋଲିସ ଧରିବାରେ ବିଫଳ ହୋଇଛି । ଅନୁରୂପ ଭାବେ ଗତ ୬ ଦିନ ପୂର୍ବରୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଜୁନାଗଡ଼ ହାଟରୁ କପା ବେପାର ସାରି ଫେରୁଥିବା ବେଳେ ଲୁଟ୍ ଓ ଆକ୍ରମଣର ଶିକାର ହୋଇଥିଲେ । ଏଥିରେ ତାଙ୍କ ୨୨ ବର୍ଷିୟ ପୁଅର ମୃତ୍ୟୁ ହୋଇଥିଲା ।

ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଡ଼କାୟତି ଓ ଲୁଟ୍ ଘଟଣା ଘଟିଚାଲିଥିଲେ ସୁଦ୍ଧା ପୋଲିସ ଅପରାଧୀଙ୍କ ନିକଟରେ ପହଂଚି ନପାରିବା ସାଧାରଣରେ ଚିନ୍ତାର ବିଷୟ ହୋଇଛି । ଏପରିକି ପୋଲିସ ଉପରୁ ଲୋକଙ୍କ ଭରସା ଦିନକୁ ଦିନ ତୁଟିବାରେ ଲାଗିଛି । ଏଣୁ ଲୋକଙ୍କ ଆସ୍ଥା ଭାଜନ ଓ ବିଶ୍ୱାସ ଭାଜନ ହେବା ନିମନ୍ତେ ପୋଲିସ ଏସବୁ ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରିବା ଅପରିହାର୍ୟ୍ୟ ହୋଇପଡିଛି ।