ଲକଡାଉନ ପାଇଁ ମଦ ଦୋକାନ ଆଗରେ ଲମ୍ବା ଧାଡ଼ି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନଆ ଲକଡାଉନ ଲାଗୁ ହେବ। ଏହି ସମୟରେ ସରକାର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ ମଦ ଦୋକାନଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଥିବାରୁ ମଦୁଆମାନେ ଆଜି ସକାଳୁ ନିଜ ନିଜ ଖୋରାକ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ଆଜି ଝାରସୁଗୁଡ଼ାର ସମସ୍ତ ମଦ ଦୋକାନ ସମ୍ମୁଖରେ ମଦୁଆଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। କିଏ ବ୍ୟାଗ ଧରି ଲାଇନରେ ଛିଡ଼ା ହୋଇଛି ତ କିଏ ମୁଣ୍ଡରେ ହେଲମେଟ ପିନ୍ଧି ଛିଡ଼ା ହୋଇଛି। ସାମାଜିକ ଦୂରତାକୁ ରକ୍ଷା କରିବା ତ ଦୂରର କଥା କାଳେ ମଦ ଶେଷ ହୋଇଯିବ ସେଥିପାଇଁ ଝାରସୁଗୁଡ଼ାର ବିଭିନ୍ନ ମଦ କାଉଣ୍ଟରରେ ଠେଲାପେଲା କରି ଲୋକେ ମଦ କିଣୁଥିବା ଦେଖିବାକୁ ମିଳିଛି।