ଦେବଗଡ଼ରେ କଡ଼ାକଡ଼ି ହେଲା ଲକଡାଉନ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପାକ୍ଷିକ ଲକଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଦେବଗଡ଼ରେ ମଧ୍ୟ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟାଳୟଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲକଡାଉନ କାର୍ଯ୍ୟକାରୀ କରାଯାଇଛି। ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଏବଂ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଦିନ ୧୨ଟା ପରେ ସ୍ୱତଃପ୍ରବୃତ ଭାବେ ସାରା ଜିଲ୍ଲାରେ ଚଳ ପ୍ରଚଳ ସମ୍ପୂର୍ଣ୍ଣ ଠପ ହେବା ଫଳରେ ସାରା ସହର ଜନଶୂନ୍ୟ ହୋଇ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପୁଲିସ ପକ୍ଷରୁ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଜିଲ୍ଲାରେ ପୁଲିସ ପେଟ୍ରୋଲିଂ ଏବଂ ପୁଲିସ ବଳ ମୁତୟନ କରାଯାଇ ରାସ୍ତାରେ ଯାଉଥିବା କାଁ ଭାଁ ଯାନବାହାନକୁ କଡ଼ାକଡ଼ି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି। ଲକଡାଉନ ନିୟମକୁ ଜିଲ୍ଲାବାସୀଙ୍କ ପକ୍ଷରୁ ସମର୍ଥନ ମିଳିଥିବା ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ପ୍ରକାଶ କରିଥିବାବେଳେ ଅମାନିଆଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବନୀ ଦେଇଛନ୍ତି।