ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଢ଼ିଲା। ଦ୍ରୁତ ଗତିରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଆଉ ଅନ୍ୟ ଦୋକାନକୁ ଅଡ୍-ଇଭେନ ପଦ୍ଧତିରେ ଖୋଲାଯିବ। ଆଉ ଅଳ୍ପସଂଖ୍ୟକ କର୍ମଚାରୀଙ୍କ ସହ ଅଫିସ୍ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।
ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି, ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନଲକ ପ୍ରକ୍ରିୟା ଧୀରେ ଧୀରେ ଲାଗୁ କରାଯାଉଛି। ଆଉ ଏହାକୁ ‘ମିଶନ ବିଗନ ଏଗେନ’ ନାମ ଦିଆଯାଇଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫,୪୯୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୫୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜ୍ୟରେ ଏଯାବତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୪ ହଜାର ୬୨୬ ହୋଇଥିବାବେଳେ ୭,୪୨୯ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୮୬ ହଜାର ୫୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭୦ ହଜାର ୬୦୭ ଜଣ ଚିକିତ୍ସାଧୀନ ଅଛନ୍ତି।