ଉହାନ,ଏଜେନ୍ସି: ମହାମାରୀ କରୋନା ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ ସହର ଏବେ ବିପଦମୁକ୍ତ। ଏଠାରୁ ସାରା ବିଶ୍ବକୁ କରୋନା ଭୂତାଣୁ ବ୍ୟାପିବାରେ ଲଗିଛି। ବିଶ୍ବବାସୀ ଏବେ ସଙ୍କଟ ଘଡ଼ି ଦେଇ ଗତି କରୁଥିବାବେଳେ ଉହାନରେ ଲକଡାଉନ ଉଠାଇ ଦିଆଯାଇଛି। ତେବେ ୭୬ ଦିନ ପରେ ବୁଧବାର ଏହି ସହରରୁ ଲକଡାଉନ ହଟିବା ଫଳରେ ଲୋକମାନେ ଘରୁ ବାହାରକୁ ବାହାରିଛନ୍ତି।
ମଙ୍ଗଳବାର ରାତି ୧୨ଟା ପରଠାରୁ ଏହି ସହରରେ ଲକଡାଉନକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏହି ଖୁସିରେ ସହରର ଏକାଧିକ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ୟାଙ୍ଗତେଜ ନଦୀର ଦୁଇ ପାର୍ଶ୍ବରେ ଲାଇଟ ଶୋ ଆୟାଜନ କରାଯାଇଥିଲା। ସେହିପରି ବିଶାଳ କୋଠା ଏବଂ ବ୍ରିଜଗୁଡ଼ିକୁ ଆଲୋକରେ ସଜାଯାଇଥିଲା। ଖୁସିରେ ଲୋକମାନେ ଚୀନର ଜାତୀୟ ସଙ୍ଗୀତ ଗାନ କରିବା ସହିତ ଜାତୀୟ ପତାକା ଉଡ଼ାଇ ‘ଉହାନ ଆଗକୁ ବଢ଼ିଚାଲୁ’ ବୋଲି ନାରା ଦେଇଥିଲେ। ତେବେ ଚୀନ ସରକାର ଏତେ ଶୀଘ୍ର ଉତ୍ସବ ମନାଯିବା ବିରୋଧରେ କଡ଼ା ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଚୀନରେ ମୋଟ ୮୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୦ ହଜାର କେବଳ ଉହାନ ସହରରେ ସଂକ୍ରମିତ ହୋଇଥିଲେ।