ଲକଡାଉନ୍ ସମସ୍ୟା : ରାସ୍ତାବନ୍ଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ

ବାଙ୍କୀ,ଏନ୍ଏନ୍ଏସ୍ : ସମଗ୍ର ବିଶ୍ୱରେ କରୋନା ମହାମାରି ଆତଙ୍କସୃଷ୍ଠି କରିଥିବା ବେଳେ ସରକାରଙ୍କ ତରଫରୁ ଲକ୍ ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ବାଙ୍କୀରେ ଲକ ଡାଉନ୍କୁ କେନ୍ଦ୍ରକରି ଦୁଇ ସାହି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିବା ନେଇ ସାରା ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ପଂଚାୟତର ସିଂହନାଥ ମନ୍ଦିର ସାମ୍ନାରେ ଲକ୍ ଡାଉନକୁ କେନ୍ଦ୍ରକରି ଦୁଇସାହି ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷରୁ ୧୨ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଲକ୍ ଡାଉନ ଥିବା ବେଳେ ପାଟପୁର ତେଲିସାହିର ଜନସାଧାରଣଙ୍କୁ ତାଙ୍କ ଛକକୁ ଅବରୋଧ କରିଥିଲେ । ଉକ୍ତ ରାସ୍ତା ଦେଇ ଅନ୍ୟ ସାହିର ଜନସାଧାରଣ ମଧ୍ୟ ପ୍ରତ୍ୟେକ ଦିନ ଯାଆ ଆସ କରିଥାନ୍ତି । ଆଜି ଉକ୍ତ ରାସ୍ତା ପୂର୍ବରୁ ଅବରୋଧ ଥିବାବେଳେ କିଛି ବ୍ୟକ୍ତି ଅବରୋଧ ହଟାଇ ଯିବାକୁ ଚେଷ୍ଠା କରିଥିଲେ । ଯାହାକୁ ଅପରପକ୍ଷ ବିରୋଧ କରିବାରୁ ବଚସା ସୃଷ୍ଟି ହୋଇଥିଲା । ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ଼ ହେବାରୁ ଉଭୟ ପକ୍ଷରୁ ଆହତ ହୋଇଥିଲେ ।

ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ସୃଷ୍ଟି ହୋଇଥିବା ବେଳେ ଖବର ପାଇ ବାଙ୍କୀ ଥାନା ଅଧିକାରୀ ସମିର କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପରେ କଟକ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ, ବାଙ୍କୀ ତହସିଲଦାର ଘଟଣା ସ୍ଥଳରେ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରବା ସହିତ ସଂପୃକ୍ତ ଅଚଂଳରେ ୧୪୪ ଧାରା ଜାରି କରାଯାଇଅଛି । ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଶାନ୍ତି କମିଟି ଗଢ଼ାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି । ଅପରପଟେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ବାଙ୍କୀ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଚାପା ଉତେଜନା ଲାଗି ରହିଥିôବା ହେତୁ ଦୁଇ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ ଥିବା ଜଣାଯାଇଛି ।