ପଞ୍ଜାବ ମଦ ମୃତ୍ୟୁ ମାମଲା: ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି, ୭୫୦ ଲିଟର ବିଷାକ୍ତ ମଦ ଜବତ

ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟା ୮୬କୁ ବୃଦ୍ଧିପାଇଛି। ତରନତାରନ ଜିଲ୍ଲାରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଏହି ଜିଲ୍ଲାରେ ୪୨ ଜଣ ମୃତ୍ୟୁ ଘଟିଛି। ଏହାଛଡ଼ା ଅମୃତସରରେ ୧୧ ଜଣ ଓ ଗୁରୁଦାସପୁରରେ ୯ ଜଣଙ୍କ ପ୍ରାଣହାନି ଘଟିଛି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତିି।

ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା କହିଛନ୍ତି ଯେ ୩ଟି ଜିଲ୍ଲାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ଯୋଗାଣ ହୋଇଥିବା ମଦ ଯୋଗୁଁ ଏଭଳି ବିଭୀଷିକା ସୃଷ୍ଟି ହୋଇଛି। କେତେକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଦ ମୃତ୍ୟୁ ହୋଇଥିବା ସମସ୍ତ ଅଞ୍ଚଳରେ ବ୍ୟାପକ ଚଢ଼ଉ ଚାଲିଛି। ପୁଲିସ ଇତି ମଧ୍ୟରେ ପ୍ରାୟ ୧୦୦ଟି ସ୍ଥାନରେ ଚଢ଼ଉ କରି ଶନିବାର ୧୭ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି।

ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ମଦ ମାଫିଆ, ଜଣେ ଦାଗି ଅପରାଧୀ ଓ ଜଣେ ମହିଳା ଚୋରା ଚାଲାଣକାରୀ ରହିଥିଲା ବେଳେ ଜଣେ ଟ୍ରାନ୍ସପୋର୍ଟ ସଂସ୍ଥା ମାଲିକ, ବିଭିନ୍ନ ଢାବାର ମାଲିକ ଓ ପରିଚାଳକ ଏହି ର‍୍ୟାକେଟରେ ସାମିଲ ଥିବା ଜଣାପଡିଛି। ଏହି ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ ପ୍ରାୟ ୭୫୦ ଲିଟର ବିଷାକ୍ତ ମଦ ଜବତ ହୋଇଛି।