୩୦ ସୁଦ୍ଧା ଲାଇଫ୍ ସାର୍ଟିଫିକେଟ୍ ଜମା ପାଇଁ ପେନସନଧାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ଏହାର ସମସ୍ତ ପେନ୍ସନଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଏସବିଆଇ ପକ୍ଷରୁ ଟ୍ୱିଟ୍ କରାଯାଇ ସୁଚାରୁ ରୂପେ ପେନ୍ସନ୍ ରାଶି ପାଇବା ପାଇଁ ନଭେମ୍ବର ୩୦ ସୁଦ୍ଧା ଉପଭୋକ୍ତାଙ୍କୁ ସେମାନଙ୍କ ଲାଇଫ୍ ସାର୍ଟିଫିକେଟ୍ ଜମା କରିବା ନେଇ ପେନ୍ସନଧାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ନକରିବା ଦ୍ୱାରା ପେନସନକୁ ରୋକିଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି।

ପ୍ରକାଶଯୋଗ୍ୟ, ଏସବିଆଇ ନିକଟରେ ପ୍ରାୟ ୩୬ ଲକ୍ଷ ପେନସନ ଆକାଉଣ୍ଟ ଏବଂ ୧୪ଟି ସେଣ୍ଟ୍ରାଲାଇଜ୍ଡ ପ୍ରୋସେସିଂ ସେଲ୍ ରହିଛି। ଦେଶର ସର୍ବାଧିକ ପେନସନ୍ ଆକାଉଣ୍ଟ ଏସବିଆଇ ନିକଟରେ ହିଁ ରହିଛି। ତେବେ ଲାଇଫ୍ ସାର୍ଟିଫିକେଟ୍କୁ ବ୍ୟାଙ୍କର କୌଣସି ଶାଖାରେ ଜମା କରାଯିବା ସହିତ ଘରେ ବସି ଅନଲାଇନ୍ ଜରିଆରେ ମଧ୍ୟ ଏହାକୁ ଜମା କରିବାର ସୁବିଧା ରହିଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚିତ କରାଯାଇଛି। ୨୦୧୪ ନଭେମ୍ବର ୧୦ରେ ସରକାର ଆଧାର ଆଧାରିତ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ‘ଜୀବନ ପ୍ରମାଣ’ର ଶୁଭାରମ୍ଭ କରିଥିଲେ। ସରକାରୀ କର୍ମଚାରୀ ଏହି ପ୍ରମାଣପତ୍ରକୁ ‘ଉମଙ୍ଗ୍’ ଆପ୍ ଜରିଆରେ ଜମା କରିପାରିବେ।

ଏହାବ୍ୟତୀତ ଆଧାରକେନ୍ଦ୍ର ଏବଂ ସିଏସସି (କମନ୍ ସର୍ଭିସ୍ ସେଣ୍ଟର) ଜରିଆରେ ମଧ୍ୟ ଏହାର ପ୍ରମାଣପତ୍ର ଦେଇପାରିବେ। ପ୍ରତିବର୍ଷ ନଭେମ୍ବରରେ ପେନସନଧାରୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଜମା କରିବା ବାଧ୍ୟତାମୂଳକ ହୋଇଥାଏ। ଯେଉଁ ପେନସନଧାରୀ ବ୍ୟାଙ୍କ ଯାଇପାରିବେ ନାହିଁ, ସେମାନେ ଯେକୌଣସି ମାଜିଷ୍ଟ୍ରେଟ୍ କିମ୍ବା ଗେଜେଟେଡ୍ ଅଧିକାରୀଙ୍କ ହସ୍ତାକ୍ଷର ନେଇ ଏହି ସାର୍ଟିଫିକେଟ୍ ଜମା କରିପାରିବେ ବୋଲି କେନ୍ଦ୍ରୀୟ ପେନ୍ସନ୍ ଆକାଉଣ୍ଟିଙ୍ଗ୍ କାର୍ଯ୍ୟାଳୟ ତରଫରୁ ସୂଚିତ କରାଯାଇଛି।