ଏଲଆଇସି କର୍ମଚାରୀଙ୍କ ଦିନିକିଆ ବନ୍ଦ ପାଳନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚାରି ଦଫା ଦାବି ନେଇ ଅଖିଳ ଭାରତୀୟ ବୀମା କର୍ମଚାରୀ ସଙ୍ଘ ଓ ଜଏଣ୍ଟ ଫୋରମର ଆହ୍ୱାନରେ ଆଜି ସର୍ବ ଭାରତୀୟସ୍ତରରେ ବୀମା କର୍ମଚାରୀମାନେ ଦିନିକିଆ ବନ୍ଦ ପାଳନ କରିଛନ୍ତି। ଏହି କ୍ରମରେ ଝାରସୁଗୁଡା ଜିଲ୍ଲା ବେହେରାମାଲସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ସକାଳ ୧୦ଟାରୁ ପୂର୍ବହ୍ନ ୩ଟା ଯାଏଁ କର୍ମଚାରୀମାନେ ଧାରଣ ଦେବାସହ ବ୍ରଜରାଜନଗର ଓ ବେଲପହାଡସ୍ଥିତ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି। ସେମାନେ କହିଛନ୍ତି ଯେ, ସରକାର ଏଲାଇସିକୁ ଘରୋଇକରଣ କରିବାର ଯୋଜନା କରି ବୀମା କର୍ମଚାରୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ତେଣୁ ଏଲଆଇସି ଘରୋଇକରଣକୁ ବନ୍ଦ କରିବାସହ ଇନିସିଆଲ ପବ୍ଲିକ ଅଫର ବିକ୍ରିକୁ ରଦ୍ଦ, ମଜୁରୀ ସଂଶୋଧନ ଆଇନ ଅନୁସାରେ ଦରମା ଲାଗୁ, ଫ୍ୟାମିଲି ପେନସନକୁ ୧୫ ପ୍ରତିଶତରୁ ବୃଦ୍ଧି କରି ୩୦ ପ୍ରତିଶତ କରିବାସହ ନୂତନ ପେନସନ ସ୍କିମକୁ ରଦ୍ଦ କରାଯାଉ ବୋଲି ବୀମା ଦାବି କରିଛନ୍ତି। ଏହାସହ ଯଦି ସରକାର ତାଙ୍କ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ସର୍ବଭାରୀୟ ବୀମା କର୍ମଚାରୀ ସଙ୍ଘ, କ୍ଲାସ ୱାନ ଏସୋସିଏସନ ଓ ଫିଲ୍ଡ ଏସୋସିଏସନର ଜଏଣ୍ଟ ଫୋରମର ନିଷ୍ପତି ଅନୁସାରେ ବ୍ୟାପକ ଆନ୍ଦୋଳନ କରାଯିବ ଝାରସୁଗୁଡା ଏଲଆଇସି କର୍ମଚାରୀ ସଙ୍ଘପକ୍ଷରୁ କୁହାଯାଇଛି। ଏହି ଅବସରରେ ରତ୍ନାକର ପ୍ରଧାନ, ଅରୁଣ କୁମାର ଚଏନି ପ୍ରମୁଖଙ୍କସହ ଏଲଆଇସି କର୍ମଚାରୀମାନେ ଉପସ୍ଥିତ ଥିଲେ।