ମହିଳା ସଶକ୍ତିକରଣ ପାଇଁ ଆଇନ ସ୍ୱାକ୍ଷରିତ କର୍ମଶାଳା ଉଦଯାପିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଡିପିଆରସି ବିଲ୍ଡିଂସ୍ଥିତ ଦକ୍ଷତା ବିକାଶ ତାଲିମ ସଂଗଠନ ସଭାଗୃହରେ ୨ଦିନ ଧରି ସ୍ୱାତୀ ସଂଗଠନ ଓ ୟୁଏସ କନ୍ସୋଲେଟ ଜେନେରାଲ ହାଇଦ୍ରାବାଦ ତରଫରୁ ମହିଳା ସଶକ୍ତିକରଣ ନିମନ୍ତେ ୨ ଦିନିଆ ଆଇନ ସ୍ୱାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ କମଳଲୋଚନ ମିଶ୍ର ଓ ଡିଆଇପିଆରଓ ହଳଧର ନିଆଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳା ଓ ଝିଅଙ୍କ ଉପରେ ହେଉଥିବା ହିଂସା, ଅତ୍ୟାଚାର ଓ ଶୋଷଣ କିପରି ରୋକାଯାଇପାରିବ ତଥା ବାଲ୍ୟ ବିବାହ ଭଳି ପରମ୍ପରାକୁ ବନ୍ଦ କରିବା ପାଇଁ ସମସ୍ତଙ୍କର ଯୋଗଦାନ ରହିବା ଆବଶ୍ୟକ ବୋଲି କହିବା ସହିତ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଆଇନକୁ ସମସ୍ତ ମହିଳାଙ୍କ ପାଖରେ ପହଞ୍ଚାଇ ପାରିଲେ ସେମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ନିଆଳ କହିଥିଲେ ।

ସେହିପରି ଉଦଯାପନୀ ଉତ୍ସବରେ ପିଏ ଆଇଟିଡିଏ ରାଜୀବ ଲୋଚନ ସାହୁ, ଡିବ୍ଲୁଓ ପଲକ୍ ରବୀନ୍ଦ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଯୋଗଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ୨ ଦିନର କାର୍ଯ୍ୟକ୍ରମରେ ମହିଳାଙ୍କ ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନ ସମୂହ ଯୋଜନା ଓ ଆନୁଷ୍ଠାନିକ ବ୍ୟବସ୍ଥା, ସାମ୍ବିଧାନିକ ଅଧିକାର ଓ ସାମାଜିକ ଗଣମାଧ୍ୟମର ଭୂମିକା ଆଦି ବିଷୟରେ ବିସ୍ତାର ଭାବେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସାଧନା ଫାଉଣ୍ଡେସନର ସମ୍ପାଦିକା ସୁଜାତା ମହାପାତ୍ର ତାଲିମଦାତ୍ରୀ ଓ ସହ ତାଲିମଦାତ୍ରୀ ଭାବେ ଶିବାନୀ ପାତ୍ର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ବହୁ ମହିଳା ଓ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।