ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ତୀସ୍ ହଜାରୀ କୋର୍ଟରେ ଗତ ୨ତାରିଖରେ ଓକିଲ-ପୁଲିସ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ବର୍ତ୍ତମାନ ତୀବ୍ରତର ହେବାରେ ଲାଗିଛି। ଏ ନେଇ ମଙ୍ଗଳବାର ଦିନ ଶହଶହ ପୁଲିସ କର୍ମଚାରୀ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିବାବେଳେ ବୁଧବାର ଓକିଲଙ୍କ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ଦିଲ୍ଲୀର ୩ଟି କୋର୍ଟର ଓକିଲମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ଦିନ ତମାମ କୋର୍ଟ କାର୍ୟ୍ୟ ବନ୍ଦ ରହିଛି।
ପଟିୟାଲା ହାଉସ କୋର୍ଟ, ରୋହିଣୀ କୋର୍ଟ ଏବଂ ସାକେତ କୋର୍ଟରେ କାର୍ୟ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରି କି ରୋହିଣୀ କୋର୍ଟରେ ଜଣେ ଓକିଲ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ, ଓକିଲମାନେ ପଟିୟାଲା କୋର୍ଟରେ ଫାଟକ ବନ୍ଦ କରିଦେଇଥିଲେ। କାହାକୁ ଭିତରକୁ ଛାଡ଼ି ନ ଥିଲେ। ଫଳରେ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ସୂଚନାଯୋଗ୍ୟ, ଘଟଣା ପରଦିନଠାରୁ ଓକିଲମାନେ ଆନ୍ଦୋଳନ ଚଳାଇଥିଲେ। କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ମଙ୍ଗଳବାର ବାର୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଓକିଲମାନଙ୍କୁ କାର୍ୟ୍ୟରେ ଯୋଗଦେବାକୁ ଚେତାବନୀ ଦିଆଯିବା ଏବଂ ପୁଲିସ କର୍ମଚାରୀଙ୍କ ପକ୍ଷରୁ ଧାରଣା ଦିଆଯିବା ପରେ ବୁଧବାର ଓକିଲମାନଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ବାର୍ କାଉନସିଲ ଅଫ୍ ଇଣ୍ଡିଆର ଚେନାବନୀ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ।