ଅଜଣାରୋଗରେ ୪ଜଣଙ୍କ ମୃତ୍ୟୁ ଘଟଣା : ଦୁଇ ରୋଗୀ ଡାକ୍ତରଖାନାରୁ ଲୁଚି ପଳାଇଲେ

ଲାଞ୍ଜିଗଡ଼,ଏନ୍ଏନ୍ଏସ୍ : ସଚେତନତା ଅଭାବରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜି ପଞ୍ଚାୟତର ଖକସି ଗାଁରେ ଅଜଣା ରୋଗରେ ୧୫ଦିନ ଭିତରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଥିଲେ। ଏହି ଘଟଣା ପ୍ରଘଟ ହେବାପରେ ଭବାନୀପାଟଣା ଓ ଲାଞ୍ଜିଗଡ଼ର ଡାକ୍ତରୀଦଳ ଖକ୍ସି ଗାଁକୁ ଗସ୍ତକରି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କିଛି ଲୋକଙ୍କ ପେଟ ଫୁଲିଯିବା ସହିତ ଗୋଡ଼ହାତ ଓ ମୁହଁ ମଧ୍ୟ ଫୁଲିଯାଇଥିଲା। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଦ୍ୱାରା ୭ଲୋକଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅତ୍ୟନ୍ତ ଗୁରୁତର ଥିବାରୁ ଶୁଣ୍ଢି ମାଝୀ(୩୫) ଓ ବାଟକା ମାଝୀ(୬୦)ଙ୍କୁ ଡାକ୍ତର ଡିସଚାର୍ଜ କରିନଥିଲେ।

ଡାକ୍ତରଖାନାରେ ଦୁଇଜଣ ଅଧିକ ଦିନ ରହିନପାରି କାହାକୁ କିଛି ନକହି ଘରକୁ ଚାଲି ଆସିଥିଲେ। ବର୍ତ୍ତମାନ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପେଟ ଗୋଡ଼ହାତ ଫୁଲି ଯାଇଥିବା ଦେଖିବାକୁ ମିଳିଛି। କାହକୁ କିଛି ନକହି ଚାଲି ଆସିବାପରେ ଆଜି ଲାଞ୍ଜିଗଡ଼ ଏମଏଚୟୁ ଡାକ୍ତର ଡ.ନରେନ୍ଦ୍ର କୁମାର ଦାସ ଗାଁକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପୁଣିଥରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାପାଇଁ ପରାମର୍ଶ ଦେଇଥିଲେ। ହେଲେ ସେମାନେ ଡାକ୍ତରଙ୍କ କଥାକୁ ଅବମାନନା କରି ଡାକ୍ତରଖାନାରେ ଭର୍ତ୍ତି ହେବାପାଇଁ ସମ୍ପୂର୍ଣ୍ଣ ମନା କରିଦେଇଥିବା ଡ.ନରେନ୍ଦ୍ର କୁମାର ଦାସ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦୁଇଜଣଙ୍କର ଦେହ ବହୁତ ଅସୁସ୍ଥ ଅଛି। ଗାଁରେ କାହାର ସ୍ୱାସ୍ଥ୍ୟ ସମସ୍ୟା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।