ଅଡୁଆରେ ଲାଲୁ, ଅଡିଓ କ୍ଲିପର ତଦନ୍ତ ନିର୍ଦ୍ଦେଶ

ରାଞ୍ଚି,ଏଜେନ୍ସି: ବିହାର ବିଧାନସଭାର ବାଚସ୍ପତି ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆରଜେଡିର ରାଷ୍ଟ୍ରୀୟ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବିଜେପି ବିଧାୟକ ଲଲନ୍ ପାଶୱାନଙ୍କୁ ମନ୍ତ୍ରୀପଦର ପ୍ରଲୋଭନ ଦେଖାଇ ବାଚସ୍ପତି ନିର୍ବାଚନ ସମୟରେ ବିଧାନସଭାରେ ଅନୁପସ୍ଥିତ ରହିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।

ବିହାରରେ ଲାଲୁଙ୍କ ଅଡିଓ କ୍ଲିପକୁ ନେଇ ଝଡ ସୃଷ୍ଟି ହୋଇଥିଲା ବେଳେ ରାଞ୍ଚି ଜେଲରେ ସେ ଥିବାରୁ ଝାଡଖଣ୍ଡ ସରକାର ତାଙ୍କର ସୁରକ୍ଷା ବଢାଇ ଦେଇଛନ୍ତି। ଅନ୍ୟପକ୍ଷରେ ରାଞ୍ଚିର ରାଜେନ୍ଦ୍ର ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ରିମ୍ସ)ର ନିର୍ଦ୍ଦେଶକଙ୍କ ବାସଭବନରେ ଅସ୍ଥାୟୀ ଭାବେ ରହୁଥିବା ଲାଲୁଙ୍କୁ ରିମ୍ସର ପେଇଙ୍ଗ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ରାଞ୍ଚି ଜେଲ୍ କର୍ତ୍ତୃପକ୍ଷ ଲାଲୁଙ୍କ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ଅବସରରେ ଜେଲ୍ ଆଇଜି ବୀରେନ୍ଦ୍ର ଭୂଷଣ କହିଛନ୍ତି, ବିବାଦୀୟ ଅଡିଓ କ୍ଲିପ୍ର ତଦନ୍ତ କରିବା ପାଇଁ ରାଞ୍ଚିର ଡିଏସପି ଓ ବିର୍ସାମୁଣ୍ଡା ଜେଲର ସୁପରିଟେଣ୍ଡାଣ୍ଟଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ପାଟନାରେ ଏହି ଅଡିଓ ଟେପ୍ ଭାଇରାଲ ହେବା ପରେ ଲାଲୁଙ୍କ ବିରୋଧରେ ଲଲନ୍ ପାଶୱାନ୍ ଗୁରୁବାର ଭିଜିଲାନ୍ସ ପୁଲିସ ଥାନାକୁ ଯାଇ ଏତଲା ରୁଜୁ କରିଛନ୍ତି। ଏହି ଏତଲାରେ ଲଲନ୍ ଅଭିଯୋଗ କରିଛନ୍ତି ଯେ ଲାଲୁ ରାଞ୍ଚି ଜେଲରେ ଥାଇ ତାଙ୍କୁ ଫୋନ୍ କରି ଏଭଳି ପ୍ରଲୋଭନ ଦେଖାଇଥିଲେ। ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଏବେ ରାଞ୍ଚି ଜେଲରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଲାଲୁଙ୍କ ଏହି ଅଡିଓ କ୍ଲିପକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିବା ପରେ ଏହା ଭାଇରାଲ ହୋଇଥିଲା। ଇତି ମଧ୍ୟରେ ଟ୍ୱିଟର ସୁଶୀଲ ମୋଦୀଙ୍କ ଟ୍ୱିଟ୍ ହଟାଇ ଦେଇଛି।