ଡଚ୍ ଓପନରେ ଲକ୍ଷ୍ୟଙ୍କୁ ପ୍ରଥମ ୱାର୍ଲ୍ଡ ଟୁର୍ ଟାଇଟଲ୍

ଆଲମେର୍: ଏଠାରେ ଚାଲିଥିବା ଡଚ୍ ଓପନ୍ ବ୍ୟାଡମିଣ୍ଟନରେ ଭାରତ ଯୁବ ଖେଳାଳି ଲକ୍ଷ୍ୟ ସେନ୍ ଚାମ୍ପିଅନ୍ ହୋଇଛନ୍ତି। ସେ ରବିବାର ଖେଳାଯାଇଥିବା ଫାଇନାଲରେ ଜାପାନର ୟୁସିକି ଓନୋଦେରାଙ୍କୁ ୧୫-୨୧, ୨୧-୧୪, ୨୧-୧୫ରେ ପରାସ୍ତ କରି ତାଙ୍କ କ୍ୟାରିୟର୍ରେ ପ୍ରଥମ ଥର ପାଇଁ ବିଡବଲ୍ୟୁଏଫ୍ ୱାର୍ଲ୍ଡ ଟାଇଟଲ୍ ହାତେଇପାରିଛନ୍ତି। ପ୍ରଥମ ଗେମ୍ରେ ପରାସ୍ତ ବରଣ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ର୍ୟାଙ୍କିଙ୍ଗରେ ୭୨ତମ ସ୍ଥାନରେ ଥିବା ଲକ୍ଷ୍ୟ ୧୬୦ ନମ୍ବର ଖେଳାଳି ଓନୋଦେରାଙ୍କୁ ପରାସ୍ତ କରିଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଭାରତର ଟପ୍ ସିଡ୍ ସମୀର ବର୍ମାଙ୍କୁ କ୍ୱାର୍ଟର୍ ଫାଇନାଲରେ ହରାଇଥିବା ଓନୋଦେରାଙ୍କୁ ରନର୍ସଅପ୍ ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ପ୍ରତିଯୋଗିତାରେ ତାଙ୍କଠାରୁ ଢେର୍ ସିନିୟର୍ ସମୀର ଓ ସୌରଭ ବର୍ମା ରହିଥିଲେ ହେଁ ସେମାନେ ବିଫଳ ହୋଇଥିବା ବେଳେ ଲକ୍ଷ୍ୟ ଚାମ୍ପିଅନ୍ ହେବାର ସଫଳତା ପାଇଛନ୍ତି। ବର୍ତ୍ତମାନ ଉତ୍ତମ ଫର୍ମରେ ଥିବା ଲକ୍ଷ୍ୟ ଗତ ମାସରେ ବେଲଜିଆନ୍ ଇଣ୍ଟରନ୍ୟାସନାଲରେ ଚାମ୍ପିଅନ୍ ହୋଇଥିଲେ।

ଏହାଛଡ଼ା ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ୍ ବ୍ୟାଡ୍ମିଣ୍ଟନ୍ ଏକାଡେମୀଠାରେ ପ୍ରଶିକ୍ଷଣ ନେଉଥିବା ଏହି ୧୮ ବର୍ଷୀୟ ଯୁବ ଖେଳାଳି ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ଓ ଗତ ବର୍ଷର ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ରେ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।