ଲଖୀମପୁର ହିଂସା ମାମଲା: ପୁଲିସ ରିମାଣ୍ଡରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ

ଲଖୀମପୁର,ଏଜେନ୍ସି: ଉତ୍ତର ପ୍ରଦେଶର ଲଖୀମପୁର ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ପୁଲିସ ହେପାଜତରେ ସ୍ୱାସ୍ଥ୍ୟ ବିଗିଡିଛି। ତାଙ୍କୁ ଜେଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ରିମାଣ୍ଡ ଶେଷ ହେବା ପୂର୍ବରୁ ଆଶିଷ ମିଶ୍ରାଙ୍କୁ ଜେଲ ନିଆଯାଇଛି। ଅଭିଯୁକ୍ତ ଆଶିଷ ମିଶ୍ରା ଡେଙ୍ଗୁରେ ପୀଡିତ ଅଛନ୍ତି। ତାଙ୍କୁ ଜେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜେଲର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ଯେ, ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ ହୋଇଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଲଖୀମପୁର ଖେରୀ ଜିଲ୍ଲା ଜେଲର ଅଧୀକ୍ଷକ ପିପି ସିଂହ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ଆଶିଷ ମିଶ୍ରା ଡେଙ୍ଗୁରେ ପୀଡିତ କି ନୁହଁ, ତାହା ସ୍ପଷ୍ଟ ହୋଇପାରି ନାହିଁ। ଶୁକ୍ରବାର ତାଙ୍କର ନମୁନା ପଠାଯାଇଛି। ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଏହା ପୂର୍ବରୁ ଲଖୀମପୁରରେ ଚାଷୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗରେ ଆଶିଷ ମିଶ୍ରାଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୨ ଦିନିଆ ପୁଲିସ ରିମାଣ୍ଡରେ ପଠାଇଥିଲେ।