ଲଖୀମପୁର ଖୀରୀ ହିଂସା ଏକ ସୁନିୟୋଜିତ ଯୋଜନା: ଏସଆଇଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଖୀରୀ ହିଂସା ମାମଲାରେ ନୂଆ ମୋଡ଼ ଆସିଛି। କୃଷକଙ୍କ ଉପରେ ଗାଡ଼ି ଚଢ଼ିଯିବା ଏକ ସୁନିୟୋଜିତ ଯୋଜନା ବୋଲି ଏସଆଇଟ ଯାଞ୍ଚରେ ସାମ୍ନାକୁ ଆସିଛି। ଏସଆଇଟି ଏବେ ଅଭିଯୁକ୍ତଙ୍କ ଉପରେ ଲାଗିଥିବା ଧାରାକୁ ମଧ୍ୟ ବଦଳାଇ ଦେଇଛି। ଉକ୍ତ ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ନାଁରେ ଅଜାଣତରେ ହତ୍ୟା ବଦଳରେ ହତ୍ୟା ମାମଲା ଚାଲିବ। ଆଜି ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହେବେ।

ଏସଆଇଟି ଅଭିଯୁକ୍ତଙ୍କ ନାମରେ ଥିବା ଆଇପିସି ଧାରା ୨୭୯, ୩୩୮, ୩୦୪ ଏକୁ ହଟାଇ ୩୦୭, ୩୨୬, ୩୦୨, ୩୪, ୧୨୦ବି, ୧୪୭, ୧୪୮, ୧୪୯, ୩/୨୫/୩୦ ଲଗାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବରରେ ଲଖୀମପୁର ଖୀରୀରେ କୃଷକମାନେ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ୪ଜଣ କୃଷକଙ୍କ ଉପରେ ଏକ ଏସୟୁବୀ କାର ଚଢ଼ି ଯାଇଥିଲା। ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକ ରମନ କଶ୍ୟପ ମଧ୍ୟ ପ୍ରାଣ ହରାଇଥିଲେ। ଉକ୍ତ ଗାଡ଼ିଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କର ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟରେ ଉକ୍ତ ମାମଲାର ଶୁଣାଣୀ ଅକ୍ଟେବାର ୮ରେ ହୋଇଥିଲା। ପରେ ଅକ୍ଟୋବର ୯ରେ ଆଶିଷ ମିଶ୍ରାଙ୍କୁ ବହୁ ସମୟ ଧରି ପଚରାଉଚୁରା ପରେ ପୁଲିସ ଗିରଫ କରିଥିଲା।