ମୁମ୍ବାଇ: ନିକଟରେ ଫିଲ୍ମ ନିର୍ଦ୍ଦେଶକ କରନ ଜୌହର ‘କଭି ଖୁସି କଭି ଗମ’ ଫିଲ୍ମର ୨୦ ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ଘରେ ପାର୍ଟିର ଆୟୋଜନ କରିଥିଲେ। ଆଉ ଏହି ପାର୍ଟିରୁ ଫେରିବା ପରେ ଅଭିନେତ୍ରୀ କରିନା କପୁର ଖାନ୍ ଓ ତାଙ୍କ ବନ୍ଧୁ ଅମୃତା ଅରୋରାଙ୍କ କରୋନା ରିପୋର୍ଟ ପଜିଟିଭ ଆସଛି। କରିନା ଓ ଅମୃତାଙ୍କ ପରେ ସୋହେଲ ଖାନଙ୍କ ପତ୍ନୀ ସୀମା ଖାନ୍ ଓ ସଞ୍ଜୟ କପୁରଙ୍କ ପତ୍ନୀ ମାହିପ କପୁରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଖାସ୍ କଥାଟି ହେଲା, କରନ ଜୌହରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି।
ଅନ୍ୟପଟେ ମଲାଇକା ଅରୋରା, କରିସ୍ମା କପୁର, ମସାବା ଗୁପ୍ତା ଓ ରିହା କପୁରଙ୍କ ସମେତ ଅନ୍ୟ ବନ୍ଧୁଙ୍କ ସହ ଅମୃତା ଅରୋରା ପ୍ରି ଖ୍ରୀଷ୍ଟମାସ ପାର୍ଟି କରିଥିଲେ। ଏପର୍ଯ୍ୟନ୍ତ ଏମାନଙ୍କ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିନାହିଁ।
ସୂଚନାଯୋଗ୍ୟ, କରୋନା ବିସ୍ପୋରଣ ହେବା ପରେ ଉଭୟ ଅଭିନେତ୍ରୀଙ୍କ ବିଲ୍ଡିଂରେ ବିଏମସି ପକ୍ଷରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି। କରୀନା, ଅମୃତା ଓ କରନଙ୍କ ବିଲ୍ଡିଂକୁ ସିଲ୍ କରିବା ସହ ସାନିଟାଇଜ କରାଯାଇଛି। ଉଭୟ କରୀନା ଓ ଅମୃତା କରୋନା ନିୟମ ଭାଙ୍ଗି ପାର୍ଟି କରିଥିବା ବିଏମସି ଅଭିଯୋଗ କରିଛି।