ଦେବଗଡ଼,ଏନ୍ଏନ୍ଏସ୍: ଗରିବ ଲୋକଙ୍କ ଆଧାର କାର୍ଡ ଓ ପାସବୁକକୁ ବ୍ୟବହାର କରି ଋଣ ଉଠାଇ ଆତ୍ମସାତ କରି ଦୀର୍ଘ ଦିନ ଧରି ଫେରାର ଥିବା ମହିଳାକୁ ଆଜି ଦେବଗଡ଼ ଥାନା ପୁଲିସ ଗିରଫ କରିଛି । ଗିରଫ ମହିଳା ଜଣକ ହେଲେ ବାରକୋଟ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ଯାଜ୍ଞସେନୀ ଧଳ । ଅଭିଯୁକ୍ତ ବିରୁଦ୍ଧରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବାରକୋଟ ଥାନା ମଧ୍ୟପୁର ଗ୍ରାମର ସୁଶାନ୍ତ ଧଳଙ୍କ ସ୍ତ୍ରୀ ଯାଜ୍ଞସେନୀ ୨୦୨୨ ମସିହାରୁ ବିଭିନ୍ନ ସମୟରେ ଗ୍ରାମର ଗରିବ ପରିବାରର ପ୍ରାୟ ୩୪ ଜଣ ମହିଳାଙ୍କୁ ମାଗଣାରେ ୫ ହଜାର ଟଙ୍କା ସହାୟତା ଯୋଗାଇବାର ପ୍ରଲୋଭନ ଦେଖାଇ ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଓ ଦସ୍ତଖତ ସଂଗ୍ରହ କରି ଭାରତ ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଭଳି ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଋଣ ଉଠାଇ ଆତ୍ମସାତ କରିଥିଲେ । କିଛିଦିନ ପରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଋଣ ଅସୁଲି ପାଇଁ ପୀଡ଼ିତାଙ୍କ ଘରକୁ ଆସିବାରୁ ମହିଳାମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଯାଜ୍ଞସେନୀ ସେମାନଙ୍କୁ ଠକିଥିବା ଜାଣି ତାଙ୍କୁ ଘଟଣା ସମ୍ପର୍କରେ ପଚାରିବାକୁ ଯାଇଥିଲେ । ଭାରତ ଫାଇନାନ୍ସର କର୍ମଚାରୀ ଜୟ ପ୍ରକାଶ ପ୍ରଧାନଙ୍କ ସହ ମିଶି ଯାଜ୍ଞସେନୀ ପୀଡ଼ିତା ମହିଳାଙ୍କୁ ହତ୍ୟା ଧମକ ଦେଇ ଘଉଡ଼ାଇ ଦେଇଥିଲେ । ଏନେଇ ଗତ ମେ’ ୪ ତାରିଖରେ ଠକେଇର ଶିକାର ମହିଳାମାନେ ଦେବଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ସେହି ଦିନଠୁ ଠକ ମହିଳା ଜଣକ ଫେରାର ଥିବାବେଳେ ସେ ନିଜ ବାପ ଘର ଦଣ୍ଡାସିଙ୍ଗାରେ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ସେଠାରେ ଚଢ଼ଉ କରି ଯାଜ୍ଞସେନୀକୁ ଗିରଫ କରିଥିଲା । ସେହିପରି ଆଜି ଅଭିଯୁକ୍ତ ମହିଳାକୁ ଦେବଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ସହଯୋଗୀ ଜୟପ୍ରକାଶ ଏବେ ମଧ୍ୟ ଫେରାର ଥିବା ଜଣାପଡ଼ିଛି ।