କୋଭିଡ ସତ୍ତ୍ୱେ ହରିଦ୍ୱାରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ କୁମ୍ଭମେଳା: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ,ଏନ୍ଏନ୍ଏସ୍: କୋଭିଡ-୧୯ ମହାମାରୀ ସତ୍ତ୍ୱେ ୨୦୨୧ରେ ହରିଦ୍ୱାରରେ କୁମ୍ଭମେଳା ଅନୁଷ୍ଠିତ ହେବ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ସୂଚନା ଦେଇଛନ୍ତି। ୨୦୨୧ ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା କୁମ୍ଭମେଳା ଅବସରରେ ଅଖିଳ ଭାରତୀୟ ଆଖଡା ପରିଷଦ (ଏବିଏପି)ର ସଦସ୍ୟଙ୍କ ସହିତ ବୈଠକରେ ସାମିଲ ହେବା ପରେ ଶ୍ରୀ ରାଓ୍ଵତ୍‌ ଏହା କହିଛନ୍ତି। ସେ କହିଛନ୍ତି ଯେ, ବୈଠକରେ ଏବିଏପି ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ଏବଂ ସେହି ଅନୁସାରେ କାମ ଆଗକୁ ବଢ଼ିବ। କୁମ୍ଭମେଳା ପାଇଁ ବିଭିନ୍ନ ପର୍ଯ୍ୟାୟ କ୍ରମେ କାମର ସମୀକ୍ଷା କରାଯାଉଛି। ବିଭାଗୀୟ ସଚିବମାନେ ନିର୍ମାଣ କାମର ଅଗ୍ରଗତି ଉପରେ ନଜର ରଖିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରତି ୧୫ ଦିନର ନିର୍ମାଣ କାମର ସମୀକ୍ଷା କରୁଛନ୍ତି।

କୁମ୍ଭମେଳା ଅଧିକାରୀ ଦୀପକ ରାଓ୍ଵତ୍‌ କହିଛନ୍ତି, ଡିସେମ୍ବର ୧୫ ତାରିଖ ସୁଦ୍ଧା ଅଧିକାଂଶ କାମ ଶେଷ ହୋଇଯାଇଥିବ। ନଦୀକୂଳରେ ଥିବା ୯ଟି ଘାଟରେ ଏବେ କାମକୁ ତ୍ୱରାନ୍ୱିତ କରାଯାଉଛି। କୁମ୍ଭମେଳା ପାଇଁ ୮ଟି ବ୍ରିଜ ଓ ରୋଡ ରାସ୍ତା ନିର୍ମାଣ କରାଯାଉଛି। ସେହିଭଳି ପାର୍କିଂ ପାଇଁ ସ୍ଥାନ ରଖାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି।