କରୋନା ଯୋଗୁଁ ଏଥର କୁମ୍ଭମେଳା ୪୫ ଦିନ ହେବ

ହରିଦ୍ୱାର,ଏଜେନ୍ସି: ଉତ୍ତରାଖଣ୍ଡର ହରିଦ୍ୱାରରେ ବିଶ୍ୱର ବୃହତ୍ତମ ଧାର୍ମିକ ସମାବେଶ ରୂପେ ପରିଚିତ କୁମ୍ଭମେଳା ଚଳିତ ବର୍ଷ ୪୫ ଦିନ ପାଇଁ ହେବ। କରୋନା କଟକଣା ଭିତରେ ଏହାକୁ ଆୟୋଜନ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼-୧୯ ମାର୍ଗଦର୍ଶିକା ଜାରି କରାଯାଇଛି। ପାରମ୍ପରିକ ଭାବେ କୁମ୍ଭମେଳା ସାଢେ ୩ ମାସ ପାଇଁ ହୋଇଥାଏ। କିନ୍ତୁ ଏଥର କରୋନା ମହାମାରୀ ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି।

ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକଙ୍କ ସୂଚନା ଅନୁଯାୟୀ, କୁମ୍ଭମେଳାକୁ ଆସୁଥିବା ଭକ୍ତମାନେ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ। ସେହିପରି ମେଳାକୁ ଆସିବା ବ୍ୟକ୍ତିଙ୍କ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେହିପରି ମେଳାର କୌଣସି ସ୍ଥାନରେ କେହି ଛେପ ପକାଇପାରିବେ ନାହିଁ। ୬ ଫୁଟର ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମେଳା ପରିସରରେ କୌଣସି ପ୍ରକାର ମେଳା କିମ୍ବା ସାମୂହିକ ପ୍ରାର୍ଥନାର ଆୟୋଜନ କରାଯାଇପାରିବ ନାହିଁ।

ସେହିପରି ଶ୍ରଦ୍ଧାଳୁଙ୍କୁ କେବଳ ସ୍ନାନ ପର୍ଯ୍ୟନ୍ତ ମେଳା ପରିସରରେ ରହିବାକୁ ଅନୁମତି ଦିଆଯିବ। କୁମ୍ଭମେଳା ପାଇଁ ଉତ୍ତରାଖଣ୍ଡ ସରକାର ଫେବୃଆରୀରେ ବିଜ୍ଞପ୍ତି ଜାରି କରିବା ସମ୍ଭାବନା ରହିଛି।

ଅନ୍ୟପଟେ କୁମ୍ଭମେଳାରେ ଯୋଗ ଦେବାକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ କେତେକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ବ୍ୟବସ୍ଥା କରାଯିବ।