କୁମ୍ଭମେଳାରେ ଯୋଗଦେଇଥିଲେ ୯୧ ଲକ୍ଷ ଶ୍ରଦ୍ଧାଳୁ

ହରିଦ୍ୱାର, ଏଜେନ୍ସି: ଚଳିତବର୍ଷ ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ କୁମ୍ଭମେଳା ଶୁକ୍ରବାର ଶେଷ ହୋଇଛି। ଏବର୍ଷ ମୋଟ ୯୧ ଲକ୍ଷ ଭକ୍ତ କୁମ୍ଭମେଳାରେ ଯୋଗଦେଇଥିଲେ ବୋଲି ସରକାରୀ ହିସାବରୁ ଜଣାପଡିଛି। କୋଭିଡ୍ ଯୋଗୁଁ ଏବର୍ଷ ରାଜ୍ୟ ସରକାର କୁମ୍ଭମେଳାର ଅବଧି ୩୦ ଦିନକୁ ହ୍ରାସ କରିଥିଲେ। ଅର୍ଥାତ ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏପ୍ରିଲ ୧୪ (ମହାବିଷୁବ ସଂକ୍ରାନ୍ତି)ରେ ଅନୁଷ୍ଠିତ ଦ୍ୱିତୀୟ ସାହି ସ୍ନାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧକ୍ରମେ ସମସ୍ତ ଆଖାଡାର ସାଧୁମାନେ ଏହି ମେଳାର ପରିସମାପ୍ତି ଘୋଷଣା କରିଥିବାବେଳେ ଅବଶିଷ୍ଟ ଅବଧିକୁ କେବଳ ପ୍ରତୀକାତ୍ମକଭାବେ ପାଳନ କରିଥିଲେ। ସେହି ସମୟରେ ଉତ୍ତରାଖଣ୍ଡରେ କୋଭିଡ୍ ସଂକ୍ରମଣ ନୂତନ ଶିଖରରେ ପହଞ୍ଚିଥିବାବେଳେ ଅଧିକାଂଶ ସାଧୁ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏପରିକି କେତେକ ସାଧୁ କୋଭିଡ୍ରେ ପ୍ରାଣ ହରାଇବାପରେ କୁମ୍ଭମେଳାକୁ ବନ୍ଦ କରିବାକୁ ବିଭିନ୍ନ ମହଲରୁ ସରକାରଙ୍କ ଉପରେ ଚାପ ପଡିଥିଲା।