କୃଷି ଆଇନ ସମ୍ପର୍କିତ ରିପୋର୍ଟ ସାର୍ବଜନୀନ କରିବାକୁ ସିଜେଆଇଙ୍କୁ ନିବେଦନ 

  • ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ପ୍ୟାନେଲର ଜଣେ ସଦସ୍ୟ ବଡ଼ ନିବେଦନ କରିଛନ୍ତି। ସଦସ୍ୟ ଜଣଙ୍କ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କୁ ଚିଠି ଲେଖି କୃଷି ଆଇନ ସମ୍ପର୍କରେ ପ୍ୟାନେଲ ଦେଇଥିବା ରିପୋର୍ଟକୁ ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି।
  • ପ୍ୟାନେଲ ପକ୍ଷରୁ ମାର୍ଚ୍ଚ ମାସରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରାଯାଇ ସୁପ୍ରିମକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ପ୍ୟାନେଲରେ ଚାଷୀମାନଙ୍କ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିବା ଅନୀଲ ଘନୱାଟ କହିଛନ୍ତି, ‘ମୁଁ ଭାବୁଛି ମାନ୍ୟବର ସୁପ୍ରିମକୋର୍ଟ ଉକ୍ତ ରିପୋର୍ଟକୁ କୌଣସି ଧ୍ୟାନ ଦେଇନାହାନ୍ତି। ତେଣୁ ଏବେ ଉକ୍ତ ରିପୋର୍ଟକୁ ସାର୍ବଜନୀନ କରିବାର ସମୟ ଆସିଛି। ସିଜେଆଇ ଏଥିପାଇଁ ଅନୁମତି ଦିଅନ୍ତୁ।’
  • ଚାଷୀମାନେ କୃଷି ଆଇନ ବିରୋଧରେ ଦୀର୍ଘ ୧୦ ମାସ ହେଲା ଆନ୍ଦୋଳନ କରୁଛନ୍ତି। ଦିନକୁ ଦିନ ଆନ୍ଦୋଳନ ଶକ୍ତିଶାଳୀ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ ଚଳିତ ବର୍ଷ ଜାନୁଆରୀରେ କୃଷି ଆଇନର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ। ଏହାପରେ ଆଇନ ଉପରେ ରିପୋର୍ଟ ଦେବାକୁ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିଥିଲେ। ପ୍ୟାନେଲରେ ଥିବା ଅନୀଲ କହିଛନ୍ତି, ‘ମୁଁ କମିଟିର ଜଣେ ସଦସ୍ୟ, ବିଶେଷକରି ଚାଷୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଛି। ଚାଷୀମାନେ ଉଠାଇଥିବା ସମସ୍ୟାର ସମାଧାନ ଏଯାଏ ହୋଇ ନଥିବାରୁ ମୁଁ ମର୍ମାହତ। ଏବେ ବି ଚାଷୀମାନେ ନିଜର ଅଧିକାର ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। କମିଟି ରିପୋର୍ଟରେ ଦେଇଥିବା ପ୍ରସ୍ତାବ ଦ୍ୱାରା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଶେଷ ହେବ ବୋଲି କମିଟି ଆଶା ରଖିଥିଲା। ତେଣୁ ସମ୍ମାନର ସହ ସୁପ୍ରିମକୋର୍ଟଙ୍କ ଆଗରେ କମିଟି ଦେଇଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଉ। ଏହାଦ୍ୱାରା ଚାଷୀମାନଙ୍କ ଅସନ୍ତୋଷ ମଧ୍ୟ ପ୍ରଶମିତ ହୋଇପାରିବ। ଯଥାଶୀଘ୍ର ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉ।’
  • ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବା, ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରି ଆନ୍ଦୋଳନ ଚଳାଇଛନ୍ତି। ୧୦ ମାସ ହେଲା ଆନ୍ଦୋଳନ ଚାଲିଥିଲେ ହେଁ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି। ଏଥିପାଇଁ ସେମାନେ ଏବେ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ରବିବାର ଉତ୍ତର ପ୍ରଦେଶରେ ମହାପଞ୍ଚାୟତ କରାଯାଇଥିବାବେଳେ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦର ଡାକରା ଦିଆଯାଇଛି। ସେହିପରି ଆଜି ମଧ୍ୟ ହରିୟାଣାର କର୍ଣ୍ଣାଲରେ ମହାପଞ୍ଚାୟତ ସହ ମିନି ସେକ୍ରେଟେରିଏଟ ଘେରାଉ କରିବାକୁ ଶୋଭାଯାତ୍ରାର ଆୟୋଜନ କରାଯାଇଛି।