ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ଅନ୍ୟ ଦେଶକୁ ବ୍ୟାପିଥିବା ଭୟଙ୍କର ‘କରୋନା’ ଭାଇରସ ଥମିବାର ନାଁ ନେଉନାହିଁ । ଚୀନରେ ଏହା ଧୀରେ ଧୀରେ ମହାମାରୀ ରୂପ ନେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୧୦୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୩ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୪୬୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୦୦ ନୂଆ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୪୩୫୯ ଜଣଙ୍କୁ ସନ୍ଦିଗ୍ଧ ଆକ୍ରାନ୍ତ ଭାବେ ଅବଜରଭେଶନରେ ରଖାଯାଇଛି ।
ଅନ୍ୟପଟେ ଭାରତରେ କରୋନା ଆତଙ୍କ ଖେଳାଇବା ଆରମ୍ଭ କରିଛି । ଚୀନରୁ କିଛି ଯାତ୍ରୀ ଭାରତ ଆସିବା ପରେ ଦେଶର ବିଭିନ୍ନ ବିମାନବନ୍ଦରରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫୫ ବିମାନରେ ଆସିଥିବାବ ୩୩ ହଜାର ୫୫୨ ଯାତ୍ରୀଙ୍କ ଯାଞ୍ଚ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତ ସୋମବାର ଦକ୍ଷିଣ ମୁମ୍ବଇର ଜଣେ ୩୬ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଚୀନରୁ ଫେରିଥିବା ବିହାରର ଛାପ୍ରା ଅଞ୍ଚଳର ଜଣେ ଯୁବତୀଙ୍କୁ ସନ୍ଦିଗ୍ଧ ମାନି ପାଟନା ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି ।