ଦେବଗଡ଼,ଏନ୍ଏନ୍ଏସ୍: ୭ ଆସନ ବିଶିଷ୍ଟ ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଆଜି ରିଆମାଳ ଜୋନ-୧ ରୁ ବିଜେଡିର ବିଜୟୀ ପ୍ରାର୍ଥୀ କୌଶିକ କୁମାର ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ ରେ ଗ୍ରାମ୍ୟ ଉନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନିର୍ବାଚନ ରେ ଏକ ମାତ୍ର ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦବୀ ପାଇଁ କୌଶିକ ନାମାଙ୍କନ ଦାଖଲ କରିଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ କୌଶିକ ନିର୍ଦ୍ୱନ୍ଦ୍ୱରେ ଦେବଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
୧୯୮୨ରେ ଜନ୍ମିତ ଯୁବ ଡିପ୍ଲୋମା ଇଞ୍ଜିନିଅର କୌଶିକ ଜିଲ୍ଲାପରିଷଦ ନିର୍ବାଚନରେ ମୋଟ ୨୨,୯୯୧ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବିରେନ ପ୍ରଧାନଙ୍କୁ ୧୬,୮୧୭ ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟୀ ହୋଇଥିଲେ। ଆଜି ଅଧ୍ୟକ୍ଷ ପଦ ଆସନ ଦାୟିତ୍ୱ ଗ୍ରହଣ ପରେ ନିଜ ପ୍ରତିକ୍ରିୟା ପ୍ରଦାନ ବେଳେ କୌଶିକ ଭାବପ୍ରବଣ ହୋଇ କାନ୍ଦି ପକାଇବା ସହ ଦେବଗଡ଼ ଜିଲ୍ଲାର ବିକାଶକୁ ନେଇ ବାପାଙ୍କ ରାଜନୈତିକ ଇଚ୍ଛାକୁ ପୂରଣ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି।