ବ୍ୟବହାର ହେଉନାହିଁ ଆଇସୋଲେସନ ରୁମ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ସାରା ଦେଶରେ ବର୍ତ୍ତମାନ କରୋନାର ସଂକ୍ରମଣ ଦିନକୁ ଦିନ ବଢୁଥିବା ହେତୁ ସରକାର ବିଭିନ୍ନ ଗାଇଡ଼ ଲାଇନ ଜାରି କରିଛନ୍ତି । ତେବେ ଯେଉଁ ବ୍ୟକ୍ତି ରାଜ୍ୟ ବାହାରୁ କିମ୍ବା ଦେଶ ବାହାରୁ ଆସୁଛନ୍ତି ତାକୁ କ୍ୱାରେଂଟାଇନରେ ରଖିବା ନିମନ୍ତେ ନିର୍ଦ୍ଦେଶ ରହିଛି। ତେବେ ଏପରି ନିୟମ ରହିଥିଲେ ମଧ୍ୟ ଏହାକୁ ନିଜେ ପ୍ରଶାସନ ଗ୍ରହଣ କରୁନଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ବାଲିମେଳା ନଗରରେ କରୋନାର ମୁକାବିଲା ନିମନ୍ତେ ତିନୋଟି ଆଇସଲେସନ ରୁମର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର। ଗତ କିଛିଦିନ ତଳେ ଓଏଚପିସି ର ଡିଜିଏମ ବିରଂଚି ନାରାୟଣ ଶତପଥୀଙ୍କ ପୁଅ ନୂଆଦିଲ୍ଲୀରୁ ଆସି ଘରେ ଲୁଚି ରହିଥିଲା ତେବେ ପ୍ରଶାସନ ନିକଟକୁ ପରେ ଖବର ଆସିଥିଲା କିନ୍ତୁ ତାକୁ ନେଇ ପରୀକ୍ଷା କରାଇ ସ୍ଥାନୀୟ ପ୍ରଶାସନ ନେଇ ଘରେ ଛାଡ଼ି ଆସିଥିଲା।

ସେହିପରି ଓଏଚପିସି ର ଡେପୁଟି ମ୍ୟାନେଜର ବିଜୟ ପ୍ରଧାନ କିଛି କାମରେ ମଧ୍ୟପ୍ରଦେଶ ର ଭୋପାଳ କୁ ଯାଇଥିଲେ, ତେବେ ଆସିବା ପରେ ସେ କାହାକୁ ନ କହି ଘରେ ଲୁଚି ରହିଥିଲେ ତେବେ ପ୍ରଶାସନ ଖବର ପାଇ ସେଠି ପହଂଚିଥିଲା ସତ କିନ୍ତୁ ତାଙ୍କର ପରୀକ୍ଷା କରାଇ ଘରେ ଛାଡ଼ି ଦେଇଥିଲା। ସେହିପରି ଓସିସି ର ଯନ୍ତ୍ରୀ ସଂଜୀବ କୁମାର ନାୟକ ମଧ୍ୟ ଗତ କିଛିଦିନ ତଳେ ଆସିଥିଲେ ତାଙ୍କୁ ମଧ୍ୟ ପରୀକ୍ଷା କରାଇ ଘରେ ଛାଡ଼ି ଦିଆଯାଇଥିଲା।

ଏହିପରି ଆହୁରି ଅନେକ ବ୍ୟକ୍ତି ବାହାରୁ ଆସିଛନ୍ତି କିନ୍ତୁ ତାଙ୍କର ପରୀକ୍ଷା କରାଯାଇ ସେମାନଙ୍କୁ ନିଜ ନିଜ ଘରେ ଛଡ଼ାଯାଇଛି। ତେବେ ଯଦି ସ୍ଥାନୀୟ ପ୍ରଶାସନ ଏହିପରି ଭାବେ ସମସ୍ତଙ୍କୁ ହୋଇଥିବା ଆଇସଲେସନ ରୁମ ରେ କ୍ୱାରେଂଟାଇନରେ ୧୫ ଦିନ ନରଖି ଖୁଲମ ଖୁଲା ଛାଡିଦେଉଛି। ତେବେ ଏତେ ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ଆଇସୋଲେସନ ରୁମ ହୋଇଛି ତେବେ ସେ ସବୁ କାହା ଉଦ୍ଦେଶ୍ୟ ରେ ? ଏନେଇ ସାଧାରଣ ରେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।