କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଜିତିଲେ କୋରାପୁଟର ରିହାନ

କୋରାପୁଟ,ଏନ୍ଏନ୍ଏସ୍: ବୟସ ମାତ୍ର ୧୬ ବର୍ଷ ହେଲେ ସଫଳତା ବହୁତ ବଡ । ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡରେଶନ ଆନୁକୂଲ୍ୟରେ କୋଲକତାରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରିହାନ ଖାନ । କ୍ରୀଡା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ କିମ୍ବା ଏପରିକି ପିଲାଙ୍କ ପାଇଁ ଖେଳ ପଡିଆ, ତାଲିମ କେନ୍ଦ୍ର ପ୍ରଭୃତିର ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପିଲାଙ୍କ ପାଇଁ ଏହା ସପନ ହୋଇ ରହିଯାଇଥିବା ବେଳେ ନିଜ ପ୍ରୟାସ ତଥା ବାପା ମାଆଙ୍କ ପ୍ରୋତ୍ସାହନରେ କୋରାପୁଟ ଜିଲ୍ଲାର ଅନେକ ଶିଶୁ, କିଶୋର ଓ ଯୁବକ ଯୁବତୀ ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ାରେ ଯୋଗ ଦେଇ ଉନ୍ନତ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଜୟପୁରର ୧୬ ବର୍ଷୀୟ କିଶୋର ରିହାନ୍ ଖାନଙ୍କ ନାଁ ।

ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡରେଶନ ଆନୁକୂଲ୍ୟରେ କଲିକତାରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଖେଳି ରିହାନ୍ ସ୍ଵର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ବାପାଙ୍କ ଠାରୁ ପ୍ରୋତ୍ସାହନ ଓ ଉଚ୍ଚସ୍ତରୀୟ ତାଲିମ ନେଇ ରିହାନ୍ ସ୍ଥାନୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବହୁବାର ସଫଳତା ହାସଲ କରିଛନ୍ତି । କିନ୍ତୁ ଏଥର ଜାତୀୟ ସ୍ତରର କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ଆନ୍ତର୍ଜାତୀୟ କ୍ରୀଡ଼ାରେ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ରିହାନ୍ । ଆନ୍ତର୍ଜାତୀୟ ସ୍ତରର କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିବା ପାଇଁ ରିହାନ୍ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାପା ଓ ପରିବାର ବର୍ଗ ରିହାନଙ୍କ ଏହି ଯାତ୍ରାରେ ସମସ୍ତ ପ୍ରକାରର ସହଯୋଗ କରିଛନ୍ତି ।

ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଆଜି (ସୋମବାର) ସମଗ୍ର ଭାରତ ବର୍ଷରେ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାର ଶପଥ ନେଉଥିବା ବେଳେ ରିହାନ୍ ଭଳି କୋରାପୁଟ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ନିଜ ପରିବାର ଓ ସାଙ୍ଗସାଥୀଙ୍କ ପ୍ରୋତ୍ସାହନରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଜିଲ୍ଲାରେ ଅବହେଳିତ କ୍ରୀଡା ବ୍ୟବସ୍ଥା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।