ଆଇପିଏଲ୍‌-୨୦୨୩: ରାଣା କେକେଆର୍‌ର ଅଧିନାୟକ

ମୁମ୍ବଇ,ଏଜେନ୍ସି: ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ନୀତୀଶ ରାଣାଙ୍କୁ ଆସନ୍ତା ଆଇପିଏଲ୍‌ ପାଇଁ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ଅନ୍ତରୀଣ ଅଧିନାୟକ ନିଯୁକ୍ତ କରାଯାଇଛି । ସୋମବାର କେକେଆର୍ ଦଳ ପକ୍ଷରୁ ଏହା ଘୋଷଣା କରାଯାଇଛି। ପିଠିରେ ଆଘାତ ଯୋଗୁଁ କେକେଆର୍‌ର ନିୟମିତ ଅଧିନାୟକ ଅତିକମ୍‌ରେ ଆଇପିଏଲ୍‌ର ପ୍ରଥମାର୍ଦ୍ଧ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ବାମହାତି ବ୍ୟାଟ୍‌ସମ୍ୟାନ୍ ନୀତୀଶ ରାଣା ଦଳର ନେତୃତ୍ବର ଦାୟିତ୍ବ ସମ୍ଭାଳିବେ। ଶ୍ରେୟାସ ସୁସ୍ଥହୋଇ ଆଇପିଏଲ୍‌ର ଦ୍ବିତୀୟାର୍ଦ୍ଧରେ ଦଳକୁ ଫେରିବେ ବୋଲି କେକେଆର୍ ଆଶାରଖିଛି। ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାର ସମ୍ଭାବନା କମ୍। ଏପରି କ୍ଷେତ୍ରରେ ନୀତୀଶ ରାଣା ପୂରା ଟୁର୍ଣ୍ଣାମେଣ୍ଟରେ କେକେଆର୍‌ର ଅଧିନାୟକ ରହିବେ।

ଆୟରଙ୍କ ସ୍ଥାନରେ ଅଧିନାୟକ ଭାବେ କେକେଆର୍ ୨ଟି ନାମର ବିଚାର କରିଥିଲା। ଏଦୁହେଁ ହେଲେ ନୀତୀଶ ରାଣା ଓ ସୁନୀଲ ନାରାୟଣ। ଇଣ୍ଟରନ୍ୟାସନାଲ ଲିଗ୍‌ ଟି୨୦ରେ ୱେଷ୍ଟଇଣ୍ଡିଜ୍‌ର ସ୍ପିନର ସୁନୀଲ ନାରାୟଣ ଆବୁଧାବି ନାଇଟ୍‌ ରାଇଡର୍ସର ନେତୃତ୍ବ ନେଇଥିଲେ। ୨୦୧୨ରୁ କେକେଆର୍ ପାଇଁ ଖେଳି ଆସୁଛନ୍ତି ନାରାୟଣ। ଅନ୍ୟପକ୍ଷରେ ନୀତୀଶ ରାଣାଙ୍କୁ ୨୦୧୮ ଆଇପିଏଲ୍‌ ପୂର୍ବରୁ ନିଲାମରେ କେକେଆର୍ କିଣିଥିଲା। ଏହା ପରଠାରୁ ଦିଲ୍ଲୀର ଏହି ୨୯ ବର୍ଷ ବୟସ୍କ ବ୍ୟାଟ୍‌ସମ୍ୟାନଙ୍କୁ ପ୍ରତି ସଂସ୍କରଣରେ କେକେଆର୍ ରଖିଆସୁଛି। ଅଦ୍ୟାବଧି କଲକାତା ପାଇଁ ନୀତୀଶ ୭୪ଟି ମ୍ୟାଚ୍‌ ଖେଳି ୧୩୫.୬୧ ଷ୍ଟ୍ରାଇକ୍‌ରେଟ୍‌ରେ ୧୭୪୪ ରନ୍‌ କରିଛନ୍ତି। ନୀତୀଶ ରାଣାଙ୍କ ଉଚ୍ଚସ୍ତରର କ୍ରିକେଟ୍‌ରେ ନେତୃତ୍ବ ନେବାର ଅଭିଜ୍ଞତା ନାହିଁ। କେବଳ ସେ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ରେ ୧୨ଟି ମ୍ୟାଚ୍‌ରେ ଦିଲ୍ଲୀର ନେତୃତ୍ବ ନେଇଛନ୍ତି।

କେକେଆର୍ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି, ଆମେ ଆଶାରଖିଛୁ ଯେ ଶ୍ରେୟାସ ଆୟର ସୁସ୍ଥହୋଇ ୨୦୨୩ ଆଇପିଏଲ୍‌ର କିଛି ମ୍ୟାଚ୍‌ ଖେଳିବେ। ଏହାସହ ଆମେ ଭାଗ୍ୟବାନ ଯେ ତାଙ୍କ ରାଜ୍ୟ ଦଳ ଦିଲ୍ଲୀର ନେତୃତ୍ବ ନେଇଥିବା ଏବଂ ଦୀର୍ଘବର୍ଷର ଆଇପିଏଲ୍‌ ଅଭିଜ୍ଞତା ଥିବା ନୀତୀଶ ରାଣା ଅଧିନାୟକ ଭାବେ ଭଲ କାମ କରିବେ। ଗତବର୍ଷ ଶ୍ରେୟାସ ଆୟରଙ୍କ ପରେ ନୀତୀଶ ରାଣା କେକେଆର୍ ପାଇଁ ୨ୟ ସର୍ବାଧିକ ୩୬୧ ରନ୍‌ କରିଥିଲେ। ତାଙ୍କ ଆଭ୍‌ରେଜ ଥିଲା ୧୪୩.୮୨। ଚଳିତ ସଂସ୍କରଣ ପାଇଁ ବ୍ରେଣ୍ଡନ୍ ମ୍ୟାକ୍‌କଲମ୍‌ଙ୍କ ସ୍ଥାନରେ ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର୍‌ର ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଛୋଟ ଦଳର ପ୍ରଶିକ୍ଷକ ଭାବେ ରଣଜୀ ଚମ୍ପିଆନ୍ କରାଇବାର ଖ୍ୟାତି ପଣ୍ଡିତଙ୍କର ରହିଛି। ପ୍ରଥମେ ସେ ବିଦର୍ଭକୁ କ୍ରମାଗତ ୨ ବର୍ଷ ରଣଜୀ ଚମ୍ପିଆନ୍ କରାଇଥିବା ବେଳେ ମଧ୍ୟପ୍ରଦେଶର ପ୍ରଶିକ୍ଷକ ଭାବେ ପ୍ରଥମ ସଂସ୍କରଣରେ ଏହାକୁ ରଣଜୀ ଚମ୍ପିଆନ୍ କରାଇଥିଲେ।