ସଂଗରୋଧରେ ସନ୍ତାନ ପ୍ରସବ

କୋଦଳା,ଏନ୍ଏନ୍ଏସ୍ : ସାରା ରାଜ୍ୟ ଓ ଦେଶରେ କରୋନାକୁ ନେଇ ଲକଡାଉନ୍‍ ଜାରି ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମର୍ଦ୍ଦକୋଟ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଅଣାଯାଉଥିବା ବେଳେ ସୁରଟରୁ ପ୍ରବାସୀ ଶ୍ରମିକମାନଙ୍କୁ ଏବେ ଫେରାଇ ଆଣି ନିର୍ଦ୍ଦିଷ୍ଟ କ୍ୱାରେଣ୍ଟାଇନରେ ରଖାଯାଉଛି। ମର୍ଦ୍ଦକୋଟସ୍ଥିତ ହରିହର ମର୍ଦ୍ଦରାଜ ହାଇସ୍କୁଲରେ ତିଆରି ହୋଇଥିବା ସଂଗରୋଧ ଗୃହରେ ଜଣେ ମହିଳା ଅନ୍ତେବାସୀ ମଙ୍ଗଳବାର ଅପରାହ୍ଣରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ମହିଳାଙ୍କ ଘର ମର୍ଦ୍ଦମେଖ ପଞ୍ଚାୟତର ବଡ଼ ଗୁଡ଼ିଆଳି ଗ୍ରାମରେ। ସୁରଟରୁ ଫେରି ନିଜ ସ୍ୱାମୀ ଓ ଦୁଇ ଝିଅଙ୍କ ସହ କ୍ୱାରେଣ୍ଟାଇନରେ ଥିଲେ ମହିଳା ଜଣକ।

ଆଜି ସକାଳେ ତାଙ୍କର ଯନ୍ତ୍ରଣା ଅନୁଭବ ହେବାରୁ ସେ ତାଙ୍କ ଘରକୁ ଫୋନ୍‍ କରି ମା’ଙ୍କୁ ଜଣାଇଥିଲେ। ମହିଳାଙ୍କ ମା’ ପୂର୍ବରୁ ପହଞ୍ଚି କ୍ୱାରେଣ୍ଟାଇନ ଗୃହର ବାହାରେ ବୁଲାବୁଲି କରୁଥିବା ସମୟରେ ଯନ୍ତ୍ରଣା ଅଧିକ ହେବାରୁ ସହାୟତା ପାଇଁ ଭିତରକୁ ଯାଇଥିଲେ। ମହିଳା ଜଣକ ସ୍ୱାଭାବିକ ଭାବେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ମର୍ଦ୍ଦକାଟ ସରପଞ୍ଚ ପ୍ରତିନିଧି ଦିପ୍ତୀ ପ୍ରକାଶ ନାୟକ, ନୋଡ଼ାଲ ଅଧିକାରୀ ଦିଲ୍ଲୀପ କୁମାର ବେହେରା, ବେଗୁନିଆପଡ଼ା ମେଡିକାଲ୍‍ ଡାକ୍ତର ସଞ୍ଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମଲ୍ଲ, କ୍ୱାରେଣ୍ଟାଇନ ଚାର୍ଜର ପ୍ରକାଶ ଚନ୍ଦ୍ର ସେଠୀ, ଇନଚାର୍ଜର ଅନୀତା କୁମାରୀ ପ୍ରଧାନ ଉଭୟ ନବଜାତ ଶିଶୁପୁତ୍ର ଓ ମା’ର ସହାୟତା କରିଥିଲେ। ପ୍ରସବ ସ୍ୱାଭାବିକ ଥିଲେ ମଧ୍ୟ ନବଜାତ ଶିଶୁର ସୁରକ୍ଷା ପାଇଁ ମା’ ଓ ଶିଶୁକୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଥିଲା।