କରନାଲରେ ଆଜି ଚାଷୀ ସମ୍ମିଳନୀ: ଧାରା ୧୪୪ ଲାଗୁ, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶର ମୁଜାଫରନଗର ପରେ ଆଜି ହରିୟାଣାର କରନାଲରେ ଚାଷୀଙ୍କ ସମ୍ମିଳନୀ ହେଉଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ମିନି ସଚିବାଳୟ ଘେରାଉ ଘୋଷଣାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ବ୍ୟାପକ ପୋଲିସ ମୁତୟନ କରିଛନ୍ତି। ରାଜ୍ୟ ସରକାର ଆଜି ରାତି ୧୨ଟା ପର୍ଯ୍ୟନ୍ତ ୫ ଜିଲ୍ଲାରେ ସମସ୍ତ ମୋବାଇଲ କମ୍ପାନୀକୁ ଇଣ୍ଟରନେଟ ସେବା ଏବଂ ଏସଏମଏସ ସେବା ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।

ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳର ୧୦ ପ୍ଲାଟୁନ ସହିତ ସୁରକ୍ଷା କର୍ମଚାରୀଙ୍କ ୪୦ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ସ୍ଥାନୀୟ ଅଧିକାରୀ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ବଳରେ ନିଷେଧାଜ୍ଞା ଲାଗୁ କରିଛନ୍ତି। ଫଳରେ ୫ରୁ ଅଧିକ ଲୋକ ଏକତ୍ର ହେବାକୁ ବାରଣ କରାଯାଇଛି।

ପୁଲିସ ଅଧୀକ୍ଷକ ଗଂଗାରାମ ପୁନିଆ ସୋମବାର ସାମ୍ବାଦିକ ସମ୍ମିଳନୀରେ କରନାଲରେ କହିଛନ୍ତି ବିଭିନ୍ନ ଚାଷୀ ସଂଗଠନର ମଙ୍ଗଳବାର ପ୍ରସ୍ତାବିତ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଇନ ବ୍ୟବସ୍ଥାକୁ ମଜଭୁତ କରିଦିଆଯାଇଛି। ଆବଶ୍ୟକ ସ୍ଥଳରେ ପୁଲିସ ମୁତୟନ କରାଯାଇଛି। ସେ କହିଛନ୍ତି ଯେ, ମିନି ସେକ୍ରେଟେରିଏଟକୁ ଘେରାଉ କରିବାକୁ କୌଣସି ପ୍ରକାରରେ ଅନୁମତି ଦିଆଯିବ ନାହିଁ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।