ଯୌତୁକ ପାଇଁ ଆମ ଝିଅକୁ ମାରିଦେଲେ…

ବାରିପଦା, ଏନ୍ଏନ୍ଏସ୍: ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଦୁଇବର୍ଷ ପୂର୍ବେ ବଡ଼ସାହି ଥାନା ଅଞ୍ଚଳର ଶ୍ରୀକୃଷ୍ଣ ମଣ୍ଡଳଙ୍କ ଝିଅ ଝରଣା ମଣ୍ଡଳ ରାସଗୋବିନ୍ଦପୁର ଥାନା ଅଞ୍ଚଳର ସୁଦର୍ଶନ ତରାଇଙ୍କ ପୁଅ ମନୋରଞ୍ଜନ ତରାଇଙ୍କୁ ବାହା ହୋଇଥିଲେ। ଝରଣା ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ମନୋରଞ୍ଜନ ଓଡିଶା ପୁଲିସର ପଞ୍ଚମ ବାଟାଲିୟନରେ କାର୍ଯ୍ୟ କରନ୍ତି। ତେବେ ଝରଣାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହ ପରଠାରୁ ଶଶୁର ଘର ଲୋକେ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ଆସୁଥିଲେ । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଗତ  ୧୮ ତାରିଖ ଦିନ ମନୋରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କ ଝିଅ ଦେହ ଖରାପ ଥିବା ସୂଚନା ଦେଇଥିଲେ।  ଝିଅକୁ କଟକ ଯିବା ରାସ୍ତାରେ ତାର ମୃତୁ ହୋଇଥିଲା ଓ ପରିବାର ପକ୍ଷରୁ ବ୍ୟବଚ୍ଛେଦ ପାଇଁ ରଘୁନାଥ ମୁର୍ମୁ ମେଡିକାଲ ଅଣାଯାଇଥିଲା। ତେବେ ମେଡ଼ିକାଲ ପରିସରରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏନେଇ ମନୋରଞ୍ଜନଙ୍କ ବାପାଙ୍କୁ ଅଟକ ରଖିଥିଲେ ଝରଣାଙ୍କ ପରିବାର ଲୋକେ। ପରିବାର ପକ୍ଷରୁ ତାଙ୍କ ଝିଅକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।