ମଝିଆ ଭାଇ ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ, ୫ ଦିନ ପରେ ଥାନାରେ ମାମଲା ରୁଜୁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରେ ସାନ ଭାଇର ଠେଙ୍ଗା ମାଡରେ ବଡଭାଇର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ଜଙ୍ଗଲ ମଧ୍ୟରେ ପୋତି ଦେବା ଘଟଣାର ୫ଦିନ ପରେ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ପାଣି ଭଣ୍ଡାର ଗ୍ରାମର ପବିତ୍ର ଶବରଙ୍କ ପରିବାରରେ ଗତ ରବିବାର ଦିନ ଆମ୍ବଗୁଣ୍ଡି ପର୍ବ ପାଳନ କରିଥିଲେ। ଅପରାହ୍ଣ ୪ଟାରେ ପବିତ୍ର ଶବରଙ୍କ ମଝିଆ ପୁଅ ରୋହିତ ଶବର (୨୦) ନିଜ ସ୍ତ୍ରୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ମଦ୍ୟପାନ ପାଇଁ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ବୋହୁ ସହ ପୁଅ ରୋହିତ ଗଣ୍ଡ ଗୋଳ କରୁଥିବା ଦେଖି ବାପା ପବିତ୍ର ପୁଅକୁ ବାରଣ କରିଥିଲେ। ମାତ୍ର ପୁଅ ରୋହିତ ଏଥିରେ ଉତକ୍ଷୀପ୍ତ ହୋଇ ବାପା ପବିତ୍ରଙ୍କୁ ଏକ ଠେଙ୍ଗା ସହାଯ୍ୟରେ ଆକ୍ରମଣ କରିଥିଲେ। ତେବେ ବାପାକୁ ଠେଙ୍ଗାରେ ଆକ୍ରମଣ କରୁଥିବା ଦେଖି ବଡ଼ ଭାଇ ସମ୍ଭାରୁ (୨୨) ରୋହିତଙ୍କୁ ପ୍ରତିରୋଧ କରିଥିଲେ। ମାତ୍ର ରୋହିତ ବଡ଼ ଭାଇର କଥା ମାନିବା ପରିବର୍ତ୍ତେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସମ୍ଭାରୁ ଗୁରୁତର ଆହତ ହୋଇଥିଲେ।

ପରିବାର ଲୋକେ ତାଙ୍କୁ ଘରେ ରଖି ଚିକିତ୍ସା କରୁଥିବା ବେଳେ ସୋମବାର ଦିନ ସକାଳ ୯ଟା ସମୟରେ ସମ୍ଭାରୁର ମୃତ୍ୟୁ ହୋଇଥିଲା। ଏହା ଦେଖି ରୋହିତ ଘରୁ ଫେରାର ହୋଇଯାଇଥିଲା। ପରେ ମୃତ ଦେହକୁ ବାପା ପବିତ୍ର ଶବର ଓ ମାଆ ଶକୁନ୍ତଳା ଶବର ଗ୍ରାମ ନିକଟରେ ଥିବା ଲହଡିତଲ ପାହାଡ଼ ନିକଟରେ ପୋତି ଦେଇଥିଲେ। ଏ ସମ୍ପର୍କରେ ଗତକାଲି ସନ୍ଧ୍ୟାରେ ଲଇମୁରା ଫାଣ୍ଡି ପୁଲିସ ଖବର ପାଇବା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପରେ ଆଜି ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।