ଅପହୃତା ନାବାଳିକା ଉଦ୍ଧାର, ଯୁବକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳରୁ ନିଖୋଜ ନାବାଳିକାକୁ ରିଆମାଳ ଥାନା ପୁଲିସ ଉଦ୍ଧାର କରିଛି। ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ଥାନାଞ୍ଚଳରୁ ଗତ ୧ତାରିଖରୁ ଜଣେ ନାବାଳିକା ନିଖୋଜ ନେଇ ପରିବାର ଲୋକେ ୬ ତାରିଖ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନାଞ୍ଚଳ ଅନ୍ତର୍ଗତ ତେଲିଘଣା ଗ୍ରାମ ନାକଟି ଓରାମପଡ଼ାର ଯୁବକ ସୁରଜ ଖାଲଖୋ ଉକ୍ତ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗ ଆଧାରରେ ପୁଲିସ ଅପହରଣ ଓ ପୋକ୍ସ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନିର୍ଦ୍ଦେଶରେ ଚାଇଲଡ ଲାଇନ ପକ୍ଷରୁ ମଧ୍ୟ ନାବାଳିକାର ସନ୍ଧାନ ପାଇଁ ପ୍ରୟାସ ଜାରି ରହିଥିଲା। ମାତ୍ର ଅଭିଯୁକ୍ତ ସୁରଜ ନାବାଳିକାକୁ ଅପହରଣ କରି ବାରମ୍ବାର ନିଜ ସ୍ଥାନ ବଦଳାଉଥିବାରୁ ପୁଲିସ ଟ୍ରାକିଙ୍ଗ ମଧ୍ୟ ବିଫଳ ହୋଇଥିଲା। ତେବେ ପୁଲିସର ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ରାତିରେ ଅଭିଯୁକ୍ତ ସୁରଜକୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ କୁରେଇବଗା ଗ୍ରାମ ନିକଟରୁ ଉଭୟ ଅପହୃତା ଓ ଅପହରଣକାରୀକୁ ପୁଲିସ କାବୁ କରିବା ସହ ଆଜି ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ପଠାଇ ଥିବାବେଳେ ନାବାଳିକାକୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରିଛି। ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ନାବାଳିକା ଅପହରଣ ଓ ଦୁଷ୍କର୍ମ ଭଳି ମାମଲା ରହିଥିବା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପ୍ରକାଶ କରିଥିବାବେଳେ ତା’ର ଅପରାଧିକ ପୃଷ୍ଠ ଭୂମି ସମ୍ପର୍କରେ ତଦନ୍ତ କରାଯାଉଥିବା ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।