ସମ୍ବିଧାନ ସମ୍ପର୍କରେ ବିବାଦୀୟ ବୟାନ, ଇସ୍ତଫା ଦେଲେ କେରଳ ସଂସ୍କୃତି ମନ୍ତ୍ରୀ

ଥିରୁଅନନ୍ତପୁରମ,ଏଜେନ୍ସି: ସମ୍ବିଧାନ ବିରୋଧରେ ଆପତ୍ତିଜନକ ବୟାନ ଦେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେରଳର ମତ୍ସ୍ୟପାଳନ ଏବଂ ସଂସ୍କୃତି ମନ୍ତ୍ରୀ ସାଜି ଚେରିୟନ। ଆଜି ଚେରିୟନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମାଲ୍ଲାପ୍ପଲ୍ଲୀ ଜିଲ୍ଲାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାଜି ଚେରିୟନ କହିଥିଲେ ଯେ, ”ଭାରତୀୟ ସମ୍ବିଧାନ ଶୋଷଣକୁ ଅନୁମତି ଦେଉଛି। ଦେଶବାସୀଙ୍କୁ ଲୁଟିବା ପାଇଁ ଏହାର ବ୍ୟବହାର କରାଯାଉଛି ଏବଂ ବ୍ରିଟିଶ ଏହି ସମ୍ବିଧାନକୁ ପ୍ରସ୍ତୁତ କରିଛନ୍ତି।”

ସଂସ୍କୃତି ମନ୍ତ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ତାଙ୍କୁ ଘେରିଥିଲେ ଏବଂ ତାଙ୍କ ଇସ୍ତଫା ଦାବିରେ ଅଡି ବସିଥିଲେ। ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଚେରିୟନ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନିକଟକୁ ପଠାଇଛନ୍ତି।

ଏପଟେ ଚେରିୟନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିପିଆଇଏମ୍ ମହାସଚିବ ସିତାରାମ ୟେଚୁରୀ କହିଛନ୍ତି, ଦଳ ତାଙ୍କ ବୟାନକୁ ସମର୍ଥନ କରୁନି। ଏହାତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ। ତେବେ ଦଳ ପକ୍ଷରୁ ଏନେଇ ବିଚାରବିମର୍ଶ ଜାରି ରହିଛି। ଉଚିତ ପଦକ୍ଷେପ ଗ୍ରହଣ କରାଯିବ।