୯ରେ ପହଞ୍ଚିଲା କାଶୀପୁର ବ୍ଲକରେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ୨୫୧

ରାୟଗଡା,ଏନ୍‌ଏନ୍‌ଏସ୍‌: କାଶୀପୁର ବ୍ଲକରେ ଥମିବାର ନା ନେଉନି ହଇଜା। ଦୁଡ଼ୁକାବାହାଲ ପଞ୍ଚୟତ ଅନ୍ତର୍ଗତ ଦେଙ୍ଗାଗୁଡ଼ା ଗାଁ’ରେ ହଇଜାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏବେବି କାଶୀପୁର ବ୍ଲକର ଟିକିରି, ଉତ୍କଳ ହସ୍ପିଟାଲ, ଉତ୍କଳ ଟିକିରି ହସ୍ପିଟାଲ ଓ କାଶୀପୁର ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୦ରୁ ଊର୍ଦ୍ଧ୍ବ ହଇଜା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଗାଁ’ରେ ୪୦ରୁ ଊର୍ଦ୍ଧ୍ବ ଜଣଙ୍କୁ ଭ୍ରାମ୍ୟମାଣ ଚିକିତ୍ସକ ଦଳ ଚିକିତ୍ସା କରୁଛନ୍ତି।

ଆଜି ସୁଧା କାଶୀପୁରରେ ମୋଟ ୨୫୧ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରେକର୍ଡରୁ ଜଣାପଡିଛି। କେବଳ ସେତିକି ନୁହଁ ବ୍ଲକ୍‌ର ୨୦ରୁ ଅଧିକ ଗାଁ’କୁ ବ୍ୟାପିଛି ହଇଜା। ବର୍ତ୍ତମାନ ସୁଧା ୨୪୬ ଗାଁ’କୁ ସର୍ଭେଲାନ୍ସରେ ରଖିଛି ଜିଲ୍ଲାପ୍ରଶାସନ। ୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କାଶୀପୁର ବ୍ଲକର ସ୍ଵାସ୍ଥ୍ୟ ସେବା କଥା ନକହିବା ଭଲ। ଏହି ବ୍ଲକରେ ରହିଛି ୭ଟି ସ୍ୱାସ୍ଥ୍ୟ କେନ୍ଦ୍ର, ସେଥିମଧ୍ୟରୁ ୩ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମଧ୍ୟ ଡ଼ାକ୍ତର ନାହାନ୍ତି। ଏପରିକି ବ୍ଲକର ମୋଟ୍‌ ୧୭ଟି ଡାକ୍ତରଙ୍କ ଜାଗାରେ ୭ ଜଣ ଡାକ୍ତର ନିଯୁକ୍ତ ଅଛନ୍ତି। ଯଦିଓ ଝାଡାବାନ୍ତି ବ୍ୟାପିବା ପରେ ନିଦ ଭାଙ୍ଗିଛି ସ୍ୱାସ୍ଥ୍ୟ ବିଭାଗର।

୧୮ ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସହିତ ଜଣେ ମେଡ଼ିସିନ ସ୍ପେସାଲିଷ୍ଟ ଏବଂ ୮ ଜଣ ଆୟୁଷ ଡାକ୍ତରଙ୍କୁ ବିଭିନ୍ନ ବ୍ଲକରୁ ଡେପୁଟେସନରେ ଆଣି ହଇଜା ମୁକାବିଲା ପାଇଁ ନିୟୋଜିତ କରାଯାଇଛି। ଏ କଥାକୁ ସ୍ଵିକାର କରିଛନ୍ତି ଖୋଦ୍‌ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ୍‌। ଏନେଇ ଗତକାଲି ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ସ୍ଥାନୀୟ ବିଧାୟକ ମକର ନନ୍ଦ ମୁଦୁଲି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓ ଜିଲ୍ଲାପାଳ ସ୍ଵଦଦେବ ସିଂହଙ୍କ ସହ ସ୍ଵତନ୍ତ୍ର ବୈଠକ କରି ପରିସ୍ଥିତି ସମକ୍ଷା କରିବା ସହ ଖାଲି ପଢ଼ିଥିବା ଡ଼ାକ୍ତର ପଦବୀ ପୂରଣ ସାଙ୍ଗକୁ ସ୍ଵଚ୍ଛ ପିଇବା ପାଣି ପାଇଁ ଯୋଜନା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ସମୟରେ ଦୁଦୁକାବାହାଲ ଏବଂ ଟିକିରି ଝଡିଆ ସାହିରେ ସାଧାରଣ ଲୋକଙ୍କ ରୋଷର ଶିକାର ହେବାକୁ ପଡିଥିଲା।

୨୦୦୭ ମସିହାରେ ଦକ୍ଷିଣ ଓଡିଶାରେ କରାଳ ରୂପ ନେଇଥିଲା କଲେରା। ଏହି କଲେରା ରାୟଗଡା ଜିଲ୍ଲାର କାଶୀପୁର, କଲୋନରା, କୋରାପୁଟ ଜିଲ୍ଲାର ଦଶମନ୍ତପୁର, ଲକ୍ଷ୍ମୀପୁର, କଳାହାଣ୍ଡି ଜିଲ୍ଲାର ଥୁଆମୁଳରାମପୁର ଏବଂ ଗଜପତି ଜିଲ୍ଲାର ମୋହନା ବ୍ଲକରେ କଲେରା ବ୍ୟାପୀଥିଲା। ସରକାରୀ ରିପୋର୍ଟ ମୁତାବକ ୨୦୦୭ ମସିହାରେ ରାୟଗଡା, କୋରାପୁଟ, ଗଜପତି ଏବଂ କଳାହାଣ୍ଡି ଜିଲ୍ଲାରେ ୩୫୮ ଗାଁର ୮୨୦୬ ଜଣ ଲୋକ କଲେରାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୨ ଜଣଙ୍କ ମୃତ୍ୟୁ ଘଟି ଥିଲା। ମୃତ୍ୟୁର ସର୍ବାଧିକ ସ୍ଥାନରେ ଥିଲା କାଶୀପୁର ବ୍ଲକ।

ସେପଟେ ବର୍ତ୍ତମାନ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଦେଖା ଦେଇଥିବା ହଇଜାରେ ଶିଶୁଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଚିନ୍ତା ବଢାଇଛି ସ୍ୱାସ୍ଥ୍ୟ ବିଭାଗ। ବିଭିନ୍ନ ଗ୍ରାମରେ ଅନେକ ଶିଶୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଉଥିବା ନଜରକୁ ଆସିଛି। ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କପାଡାଙ୍ଗ ଗ୍ରାମର ୩ ବର୍ଷର ଶିଶୁ ନକୁଳ ମାଝୀ, ଟିକିରିର ୯ ବର୍ଷର ବବଲୁ ମାଝୀ ଓ ଡେଙ୍ଗାଗୁଡାର ୧୪ ବର୍ଷର ବାଳକ ଶଙ୍କର ମାଝୀ ଝାଡା ବାନ୍ତିରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ମନ୍ତ୍ରୀଙ୍କ ଗସ୍ତ ସମୟରେ ନଜରକୁ ଆସିଛି। ଏତଦ ବ୍ୟତିତ ଉଷାପଡା ଠାରେ ମଧ୍ୟ ଆଉ ଜଣେ ୧୨ ବର୍ଷର ବାଳକ ଭର୍ତ୍ତି ହୋଇଛନ୍ତି। ଯାହାକି ସ୍ୱାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ଦୁଇଦିନ ହେବ ଶିଶୁମାନେ ଆକ୍ରାନ୍ତ ହୋଇ ମେଡିକାଲ ଆସୁଛନ୍ତି। ଏଥି ସହ ଭ୍ରାମ୍ୟମାଣ ସ୍ୱାସ୍ଥସେବା ଟିମ ମଧ୍ୟ ଦୁର୍ଗମ ଅଞ୍ଚଳରେ କିଛି ଶିଶୁଙ୍କ ଚିକିତ୍ସା କରିଥିବା ଜଣା ପଡିଛି। ତେବେ ଶିଶୁଙ୍କ ନମୁନାରେ ହଇଜା ଜୀବାଣୁ ବ୍ୟାପୁଛି ନା ନାହିଁ ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।