କାର୍ତ୍ତିକ ବୁଡ଼ ଓ ବୋଇତ ବନ୍ଦାଣ ପାଇଁ ଅନୁମତି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କାର୍ତ୍ତିକ ପୂର୍ଣ୍ଣିମା ଦିନରେ ହବିସିଆଳି ମାନଙ୍କୁ କାର୍ତ୍ତିକ ବୁଡ଼ ତଥା ବୋଇତ ବନ୍ଦାଣ କରିବା ପାଇଁ ଅନୁମତି ଦେଇ ବିଭିନ୍ନ ନଦୀ ଓ ପୋଖରୀରେ ଲାଗୁ କରାଯାଇଥିବା ୧୪୪ ଧାରାକୁ କହୋଳ କରାଯାଉ ବୋଲି ଝାରସୁଗୁଡାର କିଛି ବୁଦ୍ଧିଜୀବୀ ଦାବି କରିଛନ୍ତି। ଏଥିପାଇଁ ସେମାନେ ଆଜି ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ଜରିଆରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି କହିଛନ୍ତି କାର୍ତ୍ତିକ ପୂର୍ଣ୍ଣିମା ହିନ୍ଦୁମାନଙ୍କ ପାଇଁ ଏକ ପୁଣ୍ୟ ଦିନ ଅଟେ। କାର୍ତ୍ତିକମାସରେ ହିନ୍ଦୁ ଧର୍ମବଳମ୍ବି ଲୋକେ ଦୀର୍ଘ ଏକ ମାସ ଧରି ପ୍ରଭୁ ଜଗନ୍ନାଥଙ୍କ ଉପବାସ କରନ୍ତି। ଚଳିତବର୍ଷ କରୋନା କଟକଣା ଯୋଗୁଁ ପୂର୍ଣ୍ଣିମା ବୁଡ ଓ ବୋଇତ ବନ୍ଦାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ ଲଗାଯାଇ ଜିଲ୍ଲାର ବିଭିନ୍ନ ପୋଖରୀ ଓ ନଦୀରେ ୧୪୪ ଧାରା ଲାଗୁ କରାଯାଇଛି।

ତେଣୁ ଜିଲ୍ଲାପାଳ ହବିସିଆଳିମାନଙ୍କ ଭକ୍ତି ଓ ହଜାର ହଜାର ବର୍ଷର ପରମ୍ପରାକୁ ରକ୍ଷା କରିବା ପାଇଁ ପୂର୍ଣ୍ଣିମା ଦିନ ନଦୀ ଓ ପୋଖରୀରେ ଲାଗୁ କରାଯାଇଥିବା ୧୪୪ ଧାରାକୁ କୋହଳ କରନ୍ତୁ ବୋଲି ଜିଲ୍ଲାର କିଛି ବୁଦ୍ଧିଜୀବୀ ଦାବି କରିଛନ୍ତି। ଏନେଇ ଉପ ଜିଲ୍ଲାପାଳ କହିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ ପତ୍ର ପ୍ରେରଣ କରିଛି। ସେ ଏନେଇ ନିଷ୍ପତି ନେବେ। ଜିଲ୍ଲାପାଳଙ୍କ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।