କଟକ ଷ୍ଟେସନରୁ କର୍ଣ୍ଣାଟକ ଯବାନ ନିଖୋଜ, ଥାନାରେ ଏତଲା

କଟକ,ଏନ୍ଏନ୍ଏସ୍: ରେଳ ଷ୍ଟେସନରୁ ସେନା ବାହିନୀର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଏନେଇ ସେନା ପକ୍ଷରୁ କଟକ ରେଳବାଇ ପୁଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଛି। ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗଓ୍ବା ଓ ସେ କର୍ଣ୍ଣାଟକ ବାସିନ୍ଦା ହୋଇଥିବା ସୂଚନା ମିଳିଛି।

କଟକରେ ଆୟୋଜିତ ହେଉଥିବା ଏକ କ୍ୟାମ୍ପରେ ଯୋଗ ଦେବାକୁ ୧୫୦ ଜଣ ଯବାନ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଆସିଥିଲେ। ଟ୍ରେନଟି ଗତକାଲି(ମଙ୍ଗଳବାର) ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ କଟକରେ ପହଁଚିବା ପରେ ସମସ୍ତ ଯବାନ ଓହ୍ଲାଇଥିଲେ। କିନ୍ତୁ ସେମାନଙ୍କ ଗଣତି ସମୟରେ ଟେନଜିନ୍ ଗଓ୍ବା ସେହି ଗ୍ରୁପରେ ନ ଥିବା ଜଣାପଡ଼ିଥିଲା। ତାଙ୍କ ମୋବାଇଲ ନମ୍ବରରେ ଯୋଗେଯୋଗ ସମ୍ଭବପର ନ ହେବାରୁ ଏନେଇ ରେଳବାଇ ଥାନାରେ ସେନାର ମେଜର ଏକ ମାମଲା ରୁଜୁ କରିଛନ୍ତି।