କୋଟଗଡ/ଫୁଲବାଣୀ,ଏନ୍ଏନ୍ଏସ୍ : ଅଧାବାଟରେ ୫୧ ଜଣ ପ୍ରବାସୀଙ୍କୁ ଛାଡ଼ି ଏକ ବସ୍ ପଳାଇଥିବା ଘଟଣା ଘଟିଛି କୋଟଗଡ଼ରେ। ତାମିଲଡ଼ାଡ଼ୁ ଠାରେ କନ୍ଧମାଳ, ଭବାନିପାଟଣା ଆଦି ଅଞ୍ଚଳର ଫସି ରହିଥିବା ୫୧ ଜଣ ପ୍ରବାସୀ ୩ ଲକ୍ଷ ୫୦ ହଜାର ଟଙ୍କା ଭଡ଼ାରେ ୫ଟି ବସରେ ନିଜ ନିଜ ଅଞ୍ଚଳକୁ ଫେରିଥିଲେ। ତେବେ ୩ ଦିନ ତଳେ ସେମାନେ ତାଙ୍କର ଯାତ୍ରା ଆରମ୍ଭ କରିଥିବା ବେଳେ ଶନିବାର ଭୋର ପ୍ରାୟ ୩ଟା ସମୟରେ ଏହି ପ୍ରବାସୀମାନଙ୍କୁ ଗାଡ଼ିର ଚାଳକମାନେ କୋଟଗଡ଼ ବ୍ଲକ ବଣ୍ଡାପିପିଲି ଠାରେ ଜୋର ଜବରଦସ୍ତ ଓଲ୍ଳାଇ ଦେଇ ସେଠାରୁ ଫେରାର୍ ହୋଇଯାଇଥିଲେ। ପ୍ରବାସୀମାନେ ହାତରେ ନିଜର ବ୍ୟାଗ୍ ଓ ଅନ୍ୟ ସମସ୍ତ ସାମଗ୍ରୀଧରି ଚାଲି ଚାଲି ସକାଳୁ ସକାଳୁ ନିଜ ନିଜ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ବଣ୍ଡାପିପିଲି ଠାରୁ ପ୍ରାୟ ୧୨ କିଲୋମିଟର ଦୂର ଆସିବା ପରେ କେତେକ ସ୍ୱେଚ୍ଛାସେବୀ କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକଙ୍କୁ ଅବଗତ କରାଇଥିଲେ। ଖବର ପାଇ ପୁଲିସ ଅଧିକାରୀ ପହଞ୍ôଚ ସେମାନଙ୍କୁ ନିିକଟସ୍ଥ ଲାସେରି ବିଦ୍ୟାଳୟରେ ରଖିବା ସହିତ ସମସ୍ତଙ୍କ ଠିକଣା ସଂଗ୍ରହ କରିଥିଲେ। ତେବେ ଉକ୍ତ ଗାଡ଼ିରେ ମୋଟ ୫୧ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଳା ମୁଣ୍ଡିଗଡ଼ ଅଞ୍ଚଳର ଜଣେ ଯୁବକ ସହିତ ବଲାଙ୍ଗିର ଜିଲ୍ଲାର ୪ ଜଣ ସହିତ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳର ଅନ୍ୟମାନେ ଥିବା ଜଣାଯାଇଛି। ସେମାନଙ୍କ ସହିତ ୪ ଜଣ ଯୁବତୀ ମଧ୍ୟ ସାମିଲ୍ ଥିଲେ। କୋଟଗଡ଼ ପୁଲିସ୍ ସେମାନଙ୍କୁ ସୁଖିଲା ଖାଦ୍ୟ ଦେବା ସହିତ ସ୍ୱତନ୍ତ୍ର ଗାଡ଼ି ଦ୍ୱାରା ନିଜ ନିଜ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରିଥିଲା।