ଡକାୟତି ଘଟଣାରରେ ନିତିଆ ଗିରଫ

ଫୁଲବାଣୀ/ଟିକାବାଲି, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଓ ମରଣାନ୍ତକ ଆକ୍ରମଣ ଘଟଣାରେ ସାରଙ୍ଗଗଡ଼ ଥାନା ଅର୍ନ୍ତଗତ ଗୁମାଗଡ଼ ଗ୍ରାମର ଅନନ୍ତ ପ୍ରଧାନ ଓରଫ୍ ନିତିଆ(୨୩)କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଥାନା ଅଧିକାରୀ ରେବତି ଶବର ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ପିଣ୍ଟୁ କୁମାର ସିଂଙ୍କ ନିଜର ବ୍ୟବସାୟର ଟଙ୍କା ଆଦାୟକରି ଶଙ୍କରାଖୋଲରୁ ସାରଙ୍ଗଗଡ଼ ଦେଇ ବାଲିଗୁଡ଼ା ଯିବା ସମୟରେ ଦୁଇ ଜଣ ଦୁର୍ବୃତ ସାରଡ଼ାମାହା ଘାଟି ପାଖରେ ବ୍ୟବସାୟୀଙ୍କୁ ଅଟକାଇ ମୁଣ୍ଡରେ ପଥରରେ ଛେଚିବା ସହିତ ମରାଣାନ୍ତକ ଆକ୍ରମଣ କରିଥିଲେ। ଟଙ୍କା ଛଡ଼ାଇବାକୁ ହାତକୁ ମଧ୍ୟ କାମୁଡ଼ି ଦେଇଥିଲେ ମଧ୍ୟ ପିଣ୍ଟୁ ଉକ୍ତ ଡ଼କାୟତମାନଙ୍କ ସହିତ ସାହାସର ସହିତ ଲଢ଼ି ରକ୍ତାତ ଅବସ୍ଥାରେ ନିକଟସ୍ଥ ଗ୍ରାମକୁ ଦୌଡ଼ି ପଳାଇ ନିଜର ଜୀବନ ବଂଚାଇ ପାରିଥିଲେ।

ପିଣ୍ଟୁର ପାଟି ଶୁଣି ଗ୍ରାମ ଲୋକାମାନେ ଧାଇଁ ଆସିବାରୁ ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେମାନଙ୍କର ମଟର ସାଇକେଲ ଛାଡ଼ି ପଳାଇଥିଲେ। ଏନେଇ ପିଣ୍ଟୁ ଟିକାବାଲି ଥାନାରେ ଏତଲା ଦେବା ପରେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହିତ ଡକାୟତି ମାମଲାରେ ବ୍ୟବହୃତ ମଟର ସାଇକଲ ଜବତ କରିଥିଲେ। ଏହି ଘଟଣାରେ ଆଜି ଜଣଙ୍କୁ ଗିରଫ କରିବା ସହ ଅନ୍ୟ ଫେରାରକୁ ତୁରନ୍ତ ଗିରଫ କରାଯିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।