୧୦ରେ କନ୍ଧମାଳ ଜିଲ୍ଲା ବନ୍ଦ ନିଷ୍ପତ୍ତି

କନ୍ଧମାଳ,ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ଫୁଲବାଣୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ଆବାହନରେ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପଡ଼ିବା ପ୍ରତିବାଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ସଂସଦରେ ବଜେଟ୍ ଘୋଷଣା କରିବା ସତ୍ୱେ ରାଜ୍ୟ ସରକାରଙ୍କ ଅଧୀନରେ ଦାୟିତ୍ୱରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍ କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ରଖି ଏହି ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ପକାଇଥିବାରୁ ଉପସ୍ଥିତ ନେତୃତ୍ୱ କ୍ଷୋଭ ପ୍ରକାଶ କରିଥିଲେ । ପୂର୍ବରୁ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଦାବୀପତ୍ର ଦିଆଯାଇଥିଲେ ସୁଦ୍ଧା ଆଜିକୁ ମାସେରୁ ଊର୍‌ଦ୍ଧ୍ୱ ସମୟ ହେଲା ସରକାର କିମ୍ବା ଓରିଡିଲ୍ ସଂସ୍ଥା ପକ୍ଷରୁ କୌଣସି ଉତ୍ତର ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲି ଉପସ୍ଥିତ ସଦସ୍ୟ ମତ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରତି ବୈମାତୃକ ମନୋଭାବକୁ ନେଇ ବୈଠକରେ ସାମୁହିକ ଭାବେ କ୍ଷୋଭ ପ୍ରକାଶ କରାଯାଇ ଆଗାମୀ ୮ ଦିନ ଭିତରେ ରାଜ୍ୟ ସରକାର କିମ୍ବା ସର୍ଭେ ସଂସ୍ଥା ଓରିଡିଲ୍ ଯଦି ପୁନର୍ବିଚାର କରି ଏହି ପ୍ରକଳ୍ପରେ ଫୁଲବାଣୀକୁ ନ ଯୋଡ଼ନ୍ତି ତା’ହେଲେ ଆସନ୍ତା ନଭେମ୍ବର ୧୦ ତାରିଖରେ କନ୍ଧମାଳ ଜିଲ୍ଲା ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ହେବ ବୋଲି ବୈଠକରେ ସାମୁହିକ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଭଗବାନ ମହାନ୍ତି, ଅବନେଶ୍ୱର ପ୍ରଧାନ, ସହଦେବ ପ୍ରଧାନ, କମଳାକାନ୍ତ ପାଣ୍ଡେ, ରଘୁପତି କହଁର, ଅବନି କହଁର, ଚନ୍ଦ୍ର ପଣ୍ଡା, ଜଗନ୍ନାଥ ସାହୁ, ଶିବାଶିଷ ପଣ୍ଡା, ନାରାୟଣ କର୍ମୀ, ଶଙ୍କର ବେହେରା, କାମଦେବ ପ୍ରଧାନ, ଗୋଲକ ପ୍ରଧାନ, ଗୋଲକ ମଲିକ, ଅମରେନ୍ଦ୍ର ବେହେରା, ଗୋପବନ୍ଧୁ ପ୍ରଧାନ ଓ ଭିକି ପ୍ରଧାନଙ୍କ ସମେତ ଶତାଧିକ ନେତୃତ୍ୱ ଜିଲ୍ଲାର କୋଣଅନୁକୋଣରୁ ସାମିଲ ଥିଲେ ।