ଦୀର୍ଘ ଦିନ ଧରି ବାସନ୍ଦ ପରେ ପୁଲିସ ଠାରୁ ନ୍ୟାୟ ପାଇଲେ ମହିଳା; ଅଭିଯୁକ୍ତ ଗ୍ରାମ୍ୟ ସଭାପତି ଥାନାରେ ଅଟକ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଗୁଦୁରୀମୁଣ୍ଡା ଗ୍ରାମରେ ଦୀର୍ଘଦିନ ଧରି ଗ୍ରାମରୁ ବାସନ୍ଦ ରହିଥିବା ଜଣେ ନିର୍ଯାତିତା ମହିଳା ଆଜି ପୁଲିସ ଠାରୁ ନ୍ୟାୟ ପାଇଛନ୍ତି। ସୂଚନା ଅନୁଯାୟୀ ଗୁଦୁରୀମୁଣ୍ଡା ଗ୍ରାମର ଗଙ୍ଗାଧର ଦେହୁରୀଙ୍କ ସ୍ତ୍ରୀ କୁମୁଦିନୀ ଦେହୁରୀ ତାଙ୍କ ସମ୍ପର୍କୀୟଙ୍କ ସହ ଜମି ଗଣ୍ଡଗୋଳକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗ୍ରାମରେ ନାରାୟଣ ଦେହୁରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ କୁମୁଦିନୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ହଜାର ଟଙ୍କା ଜୋରିମାନା ପାଇଁ ଗ୍ରାମ୍ୟ ସଭାପତି ନିର୍ଦ୍ଦେଶ ଦେଇଥିଲେ।

କୁମୁଦିନୀ ଜୋରିମାନା ଅର୍ଥ ଦେବାରେ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ସେହିଦିନ ଠାରୁ ଗ୍ରାମରେ ନିଆଁ ପାଣି ବାସନ୍ଦ କରାଯାଇଥିଲା। ଏ ନେଇ କୁମୁଦିନୀ ରିଆମାଳ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନଥିଲା। ଏନେଇ କୁମୁଦିନୀ ଘଟଣା ସମ୍ପର୍କରେ ଦେବଗଡ଼ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହାନ୍ତଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ। ଆରକ୍ଷୀ ଅଧୀକ୍ଷକ ଶ୍ରୀ ମହାନ୍ତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଘଟଣାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ।

ଶ୍ରୀ ମହାପାତ୍ର ଘଟଣାର ତଦନ୍ତ କରି ଆଜି ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗ୍ରାମ୍ୟ ସଭାପତି ନାରାୟଣ ଦେହୁରୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବାବେଳେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଗ୍ରାମ୍ୟ ସଭାପତି ଅଭିଯୁକ୍ତ ନାରାୟଣ ଦେହୁରୀଙ୍କ ସପକ୍ଷରେ ଥିବା ଗ୍ରାମର ବହୁ ପୁରୁଷ ସନ୍ଧ୍ୟାରେ ରିଆମାଳ ଥାନା ସମ୍ମୁଖରେ ପହଞ୍ଚି ତାଙ୍କୁ ଖଲାସ ଦାବି କରିଥିବା ବେଳେ ରିଆମାଳ ଥାନା ପୁଲିସ ତାଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।