ଜୁନିଅର ମହିଳା ହକି ବିଶ୍ବକପ୍: ଜର୍ମାନୀକୁ ୨-୧ରେ ହରାଇ କ୍ବାର୍ଟର-ଫାଇନାଲରେ ଭାରତ

ପୋଟ୍‌ଚେଫଷ୍ଟ୍ରୋମ,ଏଜେନ୍ସି: ଜୁନିଅର ମହିଳା ହକି ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ। ଜର୍ମାନୀକୁ ୨-୧ରେ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ। ଭାରତ ପ୍ରଥମ ମ୍ୟାଚ୍‌ରେ ୱେଲ୍ସକୁ ୫-୧ ବଡ ବ୍ୟବଧାନରେ ହରାଇବା ପରେ ରବିବାର ଖେଳାଯାଇଥିବା ପୁଲ୍‌ ଡି ଦ୍ବିତୀୟ ମ୍ୟାଚ୍‌ରେ ଜର୍ମାନୀକୁ ମଧ୍ୟ ପରାସ୍ତ କରିଛି। ଫଳରେ ଏହି ବିଜୟ ସହିତ ସମ୍ମାନଜନକ ବିଶ୍ବକପ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲରେ ଟିକେଟ ହାତେଇଛି।

ଭାରତୀୟ ଗୋଲକିପର ବିଚୁଦେବୀ ଗୋଲପୋଷ୍ଟ ସାମ୍ନାରେ ଚମତ୍କାର ପ୍ରଦର୍ଶନ ସହ ବିଜୟରେ ପ୍ରମୁଖ ଭୁମିକା ତୁଲାଇଛନ୍ତି। ଲାଲ୍ରେସିଆମି ଓ ମୁମତାଜ ଖାନ ଭାରତ ପକ୍ଷରୁ ଗୋଲ୍‌ ସ୍କୋର କରିଛନ୍ତି। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଟିମ ଆକ୍ରମଣାତ୍ମକ ରଣନୀତି ନେଇ ଖେଳିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଲାଲ୍ରେସିଆମି ଆକର୍ଷଣୀୟ ଗୋଲ୍‌ କରିବା ସହ ଭାରତକୁ ୧-୦ରେ ଆଗୁଆ କରାଇଥିଲେ।

ପରେ ଜର୍ମାନୀର ଏକ ପେନାଲିଟି ସୁଟ୍‌ ଗୋଲ୍‌ ପ୍ରୟାସକୁ ବିଫଳ କରିଦେଥିଲେ ଗୋଲ୍‌କିପର ବିଚୁଦେବୀ। ଏହାର ସୁଯୋଗ ନେଇ ଭାରତୀୟ ଟିମ ଜର୍ମାନ ଖେଳାଳିଙ୍କ ଉପରେ ଅଧିକ ଚାପ ପକାଇଥିଲା ଓ ପରେ ମୁମତାଜ ଆଉ ଏକ ପେନାଲିଟି କର୍ଣ୍ଣରରେ ଗୋଲ୍‌ କରିବା ପରେ ଭାରତ ୨-୦ରେ ଆଗୁଆ ହୋଇଥିଲା। ମ୍ୟାଚ୍‌ର ଶେଷ କ୍ବାର୍ଟରରେ ୫୭ତମ ମିନିଟ୍‌ରେ ଜର୍ମାନୀ ଏକମାତ୍ର ଗୋଲ୍‌ କରିଥିଲେ ମଧ୍ୟ ପରାଜୟ ଏଡାଇ ପାରିନଥିଲା। ମଙ୍ଗଳବାର ଭାରତୀୟ ଜୁନିୟର ମହିଳା ହକି ଟିମ ମାଲେସିୟାକୁ ଭେଟିବ।