ପାଟଣାଗଡ଼ରେ କନିଷ୍ଠ ଯନ୍ତ୍ରୀଙ୍କୁ ହତ୍ୟା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସୁରେଶ କୁମାର ସାହୁ । ମିଳିଥିବା ରିପୋର୍ଟ ମୁତାବକ, ସୁରେଶ ଗତକାଲି ଯୋଗୀମୁଣ୍ଡାରେ ଥିବା ୫ଟି ସ୍କୁଲର ଫଟୋ ଉଠାଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଆଜି ସକାଳୁ ବନକାବିୟର ଗ୍ରାମ ନିକଟରେ ଥିବା ଏକ କପା ବିଲରୁ ସୁରେଶଙ୍କ ମୃତଦେହ ଓ ଟିଭିଏସ ଗାଡ଼ି ପଡ଼ିଥିବା ଗ୍ରାମର କିଛି ଲୋକ ଓ ଛେଳି ଚରାଳି ପାଟଣାଗଡ଼ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପାଟଣାଗଡ଼ ପୁଲିସ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତ ଓ ଗୋଡ଼ ବନ୍ଧା ଅବସ୍ଥାରେ ଶବଟି ପଡ଼ିଥିବା ଦେଖିଥିଲେ । ପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ସହ ପାଟଣାଗଡ଼ ଉପଖଣ୍ଡ ପୁଲିସ ମଣ୍ଡଳ ଅଧିକାରୀ ଜ୍ୟୋର୍ତିମୟ ଭୁକ୍ତା ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ, ମୃତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ ହେଲେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଗୋପଲ ନଗର କେସରଦା ଗ୍ରାମର ଅଧିବାସୀ । ସେ ପାଟଣାଗଡ଼ ବ୍ଲକରେ ଗତ ୨ବର୍ଷ ହେବ କନିଷ୍ଠ ଯନ୍ତ୍ରୀ ଭାବେ କର୍ଯ୍ୟ କରୁଥିଲେ । ମୃତ ଯନ୍ତ୍ରୀ ପଡ଼ିଥିବା ସ୍ଥାନକୁ ଦେଖିଲେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ ପୂର୍ବ ଶତୃତା ନା ଠିକା କାମକୁ ନେଇ ହତ୍ୟା ହୋଇଛି ତାହା ପୁଲିସ ତଦନ୍ତ ପରେ ଜଣାପଡ଼ିବ ।