ଦୀର୍ଘ ୭୦ ବର୍ଷ ଧରି ଭାଗ୍ୟ ସହ ଯୁଝୁଛନ୍ତି ଏହି ହତଭାଗ୍ୟ ଜୁଆଙ୍ଗ ଆଦିବାସୀମାନେ। ଏହି ଆଦିମ ଅଧିବାସୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ଏହାର ସୁଫଳ ମିଳିନାହିଁ ସେମାନଙ୍କୁ। ଫଳରେ ବର୍ଷ ବର୍ଷ ଧରି ସେମାନେ ଭାଗ୍ୟକୁ ଆଦରି ପଡ଼ି ରହିଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିବାକୁ ସ୍ୱୀକାର କରିନାହାନ୍ତି ଢେଙ୍କାନାଳ ଜିଲ୍ଲା ଧୋଡ଼ାସାହି ଜୁଆଙ୍ଗ ବସ୍ତିରେ ବସବାସ କରୁଥିବା ୨୩ ପରିବାର।
ଢେଙ୍କାନାଳ ସଦର ମହକୁମାଠାରୁ ପ୍ରାୟ ୧୭ କିଲୋମିଟର ଓ ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ ନାଠୁଆ ରାଜସ୍ୱ ଗାଁର ଧୋଡ଼ା ସାହି ହେଉଛି ଏକ ଜୁଆଙ୍ଗ ବସ୍ତି। ମୂଳ ନାଠୁଆ ଗ୍ରାମଠାରୁ ଅନତି ଦୂରରେ ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ନାଠୁଆରୁ ଧୋଡ଼ାସାହିକୁ ଯିବାକୁ ଏକ ରାସ୍ତା ଥିଲେ ହେଁ ଏହି ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନଙ୍କ କାରବାର ବଣସିଂହ ଅଞ୍ଚଳରେ ହୋଇଥାଏ। ତେଲ ଲୁଣଠାରୁ ଆରମ୍ଭ କରି ନିଜର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ବଣସିଂହ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ିଥାଏ। ହେଲେ ସେମାନଙ୍କୁ ଏକ ନାଳ ଓ ଧୋଡ଼ା ଗାଡ଼ିଆ ପାର ହୋଇ ଯିବାକୁ ପଡ଼ୁଛି। ତେଣୁ ଲୋକମୁଖରେ ଏହା ଧୋଡ଼ାସାହି ଭାବେ ପରିଚିତ ବୋଲି କୁହନ୍ତି ଗ୍ରାମର ହାଡ଼ିବନ୍ଧୁ ନାଏକ।

ପାହାଡ଼ତଳି ଅଞ୍ଚଳରେ ବସବାସ କରୁଥିବା ୨୩ଟି ପରିବାରର ଲୋକସଂଖ୍ୟା ୧୨୦। ଏକଦା ସେମାନେ କେନ୍ଦୁଝରରୁ ଆସି ଢେଙ୍କାନାଳ ରାଜାଙ୍କର କାମଦାମ କରିଆସୁଥିଲେ। କାଳକ୍ରମେ ସେମାନେ ଢେଙ୍କାନାଳର ପ୍ରାୟ ସବୁ ଗାଁର ଜଙ୍ଗଲ, ପାହାଡ଼ତଳି ଅଞ୍ଚଳରେ ବସବାସ କରୁଛନ୍ତି। ଏହି ଆଦିବାସୀ ଜୁଆଙ୍ଗମାନେ ୭୦ବର୍ଷ ପୂର୍ବେ ଅଁଳା ଗ୍ରାମରୁ ଆସି ନାଠୁଆ ଗ୍ରାମ ପାଖ ଜଙ୍ଗଲରେ ବସବାସ କରି ଆସୁଛନ୍ତି ବୋଲି କୁହନ୍ତି କାଠିଆ ଦେହୁରୀ। କିନ୍ତୁ ଦୀର୍ଘଦିନ ଧରି ବସବାସ କରୁଥିବା ଜୁଆଙ୍କ ନାମରେ ଘରଡିହର ପଟ୍ଟା ହୋଇପାରିନାହିଁ ବୋଲି କୁହନ୍ତି କାଠିଆ।
