ଅପହଞ୍ଚ ଇଲାକା ଜାଡ଼ିଘାଟି

ମୋନାଲୀସା ରଥ, ରାୟଗଡ଼ା

ଗାଁ’ଟି ୫୮ଟି ପରିବାର ପାଇଁ ସତେ ଯେପରି ଅଭିଶପ୍ତ ହୋଇଯାଇଛି ଜାଡ଼ିଘାଟି। ଜୀବନ-ମରଣ ସମସ୍ୟା ଭିତରେ ଯୁଗଯୁଗ ଧରି ଦାନାପାଣି ଦେଇ ଆସୁଥିବାରୁ ଭିଟାମାଟି ମୋହ ଛାଡ଼ିିପାରୁନାହାନ୍ତି ଗାଁଲୋକେ। କେବଳ ଜାଡ଼ିଘାଟି ନୁହେଁ ଗାଁକୁ ଲାଗି ରହିଥିବା ଲେଲିବାଡ଼ିି ଏବଂ କୁଆଖାଲ ୩ଟି ଗାଁ’ର ଲୋକଙ୍କ ଅବସ୍ଥା ଏହିଭଳି।

ଆସନ୍ତୁ ଜାଣିବା ଜାଡ଼ିଘାଟି ଗାଁର ରତ୍ନମଣି ମାଣିଆକାଙ୍କ ବିଷୟରେ। ତାଙ୍କ ପାଇଁ ଯୋଜନା ପାଲଟିଛି ଅପହଞ୍ଚ। ମାସେ କି ବର୍ଷେ ନୁହଁ ଗତ ୧୫ବର୍ଷ ଧରି ସରକାରଙ୍କ ଯୋଜନା ତାଙ୍କ ପାଇଁ ବାଟବଣା ସାଜିଛି। ଦୀର୍ଘବର୍ଷ ଧରି ଏକ ପରିତ୍ୟକ୍ତ ଘରେ ପଡ଼ି ରହିଥିଲେ ମଧ୍ୟ ତାଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚିପାରି ନଥିଲା। ଶେଷରେ କ୍ଷୀର ବିକି ପରିବାର ପ୍ରତିପୋଷଣ କରୁଥିବା ମଇଁଷି ଗୋଟାକ ବିକ୍ରି କରି ଭଙ୍ଗା କୁଡ଼ିଆଟିରେ ଟିଣ ପକାଇବାକୁ ସକ୍ଷମ ହୋଇଥିଲେ। ତାହା ବି ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏ ନେଇ ୧୦ କିଲୋମିଟର ଚାଲିଚାଲି ଆସି ବିଡିଓଙ୍କୁ ଭେଟି ନିଜ ଦୁଃଖ ଜଣାଉଥିଲା ରତ୍ନମଣି। ସବୁଠାରୁ ବଡ଼ କଥା ହେଉଛି ରତ୍ନମଣି ହେଉଛନ୍ତି ଜାଡ଼ି ଘାଟି ଗାଁର ୱାର୍ଡ ସଭ୍ୟ ତଥା ଗୁମ୍ମା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ।


୫୮ ଆଦିବାସୀ ପରିବାର ବସବାସ କରନ୍ତି ରାୟଗଡ଼ା ବ୍ଲକ୍ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଜାଡ଼ିଘାଟି ଗାଁରେ। ଗାଁରେ ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବେଳେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅପହଞ୍ଚ ହୋଇପଡ଼ିଛି। କେତେକ ପରିବାର ଭଙ୍ଗାଦଦରା ଟାଇଲକୁ ଯୋଡ଼ି ଛପର କରିଥିବାବେଳେ ଆଉ କେତେକ ନଡ଼ାଛପର ବା ପଲିଥିନ ତଳେ ଜୀବନ କାଟୁଛନ୍ତି। ଏହି ଗାଁର ମିଣିଆକା କାନ୍ଦିଙ୍କ କଥାରୁ ସ୍ପଷ୍ଟ ଅନୁମେୟ ସରକାରୀ ବାବୁଙ୍କ ଗରିବ ଗୁରୁବାଙ୍କ ପ୍ରତି ଦରଦ କେତେ। ଉଭୟେ ପତି, ପତ୍ନୀ ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ କେତେ ଯେ ହାରିଗୁହାରୀ କରିଛନ୍ତି। ପଲ୍ଲୀସଭା ଗ୍ରାମସଭାରେ ଥରେ ନୁହଁ କି ଦୁଇଥର ପ୍ରତିବର୍ଷ ତାଙ୍କ ନାଁଟି ସର୍ବାଗ୍ରେ ରହିଛି କିନ୍ତୁ ଏଯାଏ ମିଳିପାରିନାହିଁ ଘର କରିବା ପାଇଁ ଅନୁଦାନ କି ଅନୁମତି। ତେବେ ବର୍ଷାରୁ ନିଜ ପରିବାରକୁ ରକ୍ଷା କରିବା ପାଇଁ କ୍ଷୀର ବିକି ନିଜର ପରିବାର ପ୍ରତିପୋଷଣ କରୁଥିବା ମଇଁଷିଟିକୁ ୩୦୦୦ ଟଙ୍କାରେ ବିକ୍ରି କରି ସେହି ଟଙ୍କାରେ ଦଦରା ଚାଳ ଉପରେ ଟିଣ ପକେଇଥିବା ଦେଖିବାକୁ ମିଳିଛି।

ସେହିପରି ଆଉ ଜଣେ ହିତାଧିକାରୀ ୬୫ ବର୍ଷୀୟ ସାନ୍ଦ ପ୍ରାସକା। ଗାଁର ଗୋଟିଏ କୋଣରେ ନିଜର ବାଉଁଶ ଝାଟିରେ ଘରଟିଏ କରିଥିବାବେଳେ ଛପର ପାଇଁ ଅର୍ଥାଭାବ। ପରିବା ବିକ୍ରି କରି ସେଇ ଟଙ୍କାରେ ଘର ଉପରେ ପଲିଥିନ ଖଣ୍ଡେ ପକାଇଛନ୍ତି ସାନ୍ଦ। ଟିକିଏ ବର୍ଷା କି ପବନ ହେଲେ ସମ୍ଭାଳୁନି ପୁରୁଣା ପଲିଥିନ। ଫଳରେ ଗାଁ ଭାଇଙ୍କ ଦାଣ୍ଡପିଣ୍ଡାରେ ଦିନ କଟୁଥିବା କହିଛନ୍ତି। ସେହିପରି ଗାଁର ୭୦ ବର୍ଷୀୟ ବୃଦ୍ଧା ଇଲାଇ ପ୍ରାସକା। ସ୍ୱାମୀ ଆରପାରିକୁ ଚାଲିଯିବା ଇତିମଧ୍ୟରେ ୨୦ ବର୍ଷ ବିତିବାକୁ ବସିଲାଣି କିନ୍ତୁୁ ବିଧବା କି ବାର୍ଦ୍ଧକ୍ୟ ଭତ୍ତା ଟିକକ ମିଳିପାରୁନାହିଁ। ବଳ ଥିବା ପର୍ଯ୍ୟନ୍ତ ବାରମ୍ବାର ବ୍ଲକ୍ ଅଫିସକୁ ଯାଇ ଥକିଗଲି ଆଉ ଏବେ ବଳ ନାହିଁ। ଭତ୍ତା ମିଳିବ ବୋଲି ଆଶା ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଇଲାଇ। ଏହି ଦୁଇ ତିନି ଜଣଙ୍କର ଉଦାହରଣ ମାତ୍ର ସମାନ ଦଶା ଗାଁର ଥିବା ବାକି ପରିବାରର ରହିଛି। ଗୋଟିଏ ପରିବାରକୁ ମଧ୍ୟ ସରକାରଙ୍କ କୌଣସି ଗୋଟିଏ ଯୋଜନାରେ ସାମିଲ କରାଯାଇପାରିନାହିଁ।


ଏହି ୩ଟି ଗାଁର ନିର୍ବାଚିତ ୱାର୍ଡସଭ୍ୟ ରତ୍ନମଣି ମାଣିଆକାଙ୍କ କହିବା କଥା ଗତ ୩ ବର୍ଷ ଧରି ଆବାସ ଯୋଜନାରେ ୩ ଖଣ୍ଡ ଗାଁକୁ ଘର ଖଣ୍ଡେ ଯୋଗାଇ ଦେବାପାଇଁ ସମିତି ବୈଠକରୁ ଆରମ୍ଭ କରି ଗ୍ରାମସଭା, ପଲ୍ଲୀସଭାରେ ଆବେଦନ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି। ମୁଁ ଏଠି ନାମକୁ ମାତ୍ର ଜନପ୍ରତିନିଧି। ଲୋକଙ୍କ ଭରସା ଆଉ ମୋ ଉପରେ ମଧ୍ୟ ନଥିବା କହିଛନ୍ତିି ରତ୍ନମଣି। ତେଣୁ ବାଧ୍ୟହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖକୁ ଯାଇ ଗୁହାରି ଜଣାଇ କାନ୍ଦିପକାଇଥିବା ସେ କହିଛନ୍ତିି। ତେବେ ଏ ସମ୍ପର୍କରେ ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ପ୍ରସ୍ତାବିତ କାର୍ଯ୍ୟ ତାଲିକାରେ ଗାଁର ଆବଶ୍ୟକତା ସମ୍ପର୍କରେ କୌଣସି ସୂଚନା ନଥିବା କଥାକୁ ସ୍ୱୀକାର କରିଛନ୍ତି।