ଜୁନିଅର ମହିଳା ହକି ବିଶ୍ବକପ୍‌: ସେମିଫାଇନାଲରେ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ଲଢିବ

ପୋଟଚେଫଷ୍ଟ୍ରୋମ,ଏଜେନ୍ସି: ଜୁନିଅର ମହିଳା ହକି ବିଶ୍ବକପ ସେମିଫାଇନାଲରେ ହାରିଲା ଭାରତ। ରବିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ୩-୦ ଗୋଲ୍‌ରେ ନେଦରଲାଣ୍ଡଠାରୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ଫଳରେ ଭାରତର ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନ ଚୁରମାର ହୋଇଛି।

ନେଦରଲାଣ୍ଡ ପକ୍ଷରୁ ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ତେସା ଭିତସମା, ୫୩ତମ ମିନିଟ୍‌ରେ ଲୁନା ଫୋକେ ଓ ୫୪ ତମ ମିନିଟ୍‌ରେ ଜିପ ଡିକେ ଗୋଲ୍‌ ସ୍କୋର କରିଥିଲେ। ଏଥିସହ ତୃତୀୟ ଟାଇଟେଲ ହାସଲ ପାଇଁ ଫାଇନାଲ ଟିକେଟ ହାତେଇଥିଲେ। ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ବିଜେତା ଟିମ ସହ ଫାଇନାଲ ଖେଳିବ ନେଦରଲାଣ୍ଡସ। ଅନ୍ୟପଟେ ପରାଜିତ ଟିମ ସହ ବ୍ରୋଞ୍ଜ୍‌ ପଦକ ପାଇଁ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ।

ଅନ୍ୟପଟେ ଭାରତୀୟ ଟିମ ଗୋଲ୍‌ ପାଇଁ କ୍ୟାପଟେନ ସାଲିମା ଟେଟେଙ୍କ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲା। ନେଦରଲାଣ୍ଡ ଗୋଲ୍‌ କିପର ମଧ୍ୟ ଭାରତର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ। ଏହି ସମ୍ମାନଜନକ ମେଗା ଟୁର୍ଣ୍ଣାମେଣ୍ଟର ୨୦୧୩ ସଂସ୍କରଣରେ ବ୍ରୋଞ୍ଜ ପଦକ ବିଜୟ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଛି।