ମା’ ଓ ଝିଅଙ୍କୁ ୪୦ ଦିନ ଘରେ ବନ୍ଦ ରଖିଥିବା ସାମ୍ବାଦିକ ଗିରଫ

ରାଉଲକେଲା,ଏନ୍ଏନ୍ଏସ୍: ସାମ୍ବାଦିକର ଦବଦବା ଦେଖାଇ ଜଣେ ବିବାହିତା ମହିଳା ଏବଂ ତାଙ୍କ ମା ଙ୍କୁ ରାଉରକେଲା ବାସନ୍ତି କଲୋନୀର ଘରେ ୪୦ ଦିନ ବନ୍ଦ ରଖି ନିର୍ୟ୍ୟାତନା ଦେବା ଏବଂ ଅସଦାଚରଣ କରିବା ଅଭିଯୋଗ ଉଦିତନଗର ଥାନାରେ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ମହିଳା ଏବଂ ତାଙ୍କ ମାଙ୍କୁ ବାସନ୍ତି କଲୋନୀ ସ୍ଥିତ ସାମ୍ବାଦିକଙ୍କ ଘରୁ ଉଦ୍ଧାର କରିବା ସହ ଉକ୍ତ ସାମ୍ବାଦିକ ଅଶୋକ ମହାନ୍ତି କୁଁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନା ଅନୁଯାୟୀ ରାଉରକେଲା ସାରନଗରୀ ରେ ଜଣେ ଔଷଧ ଦୋକାନ କରିଥିବା ବ୍ୟକ୍ତି ଙ୍କ ସହ ଅଶୋକ ର ବନ୍ଧୁତ୍ୱ ତିନିମାସ ତଳେ ହୋଇଥିଲା ଏବଂ ତାଙ୍କ ଘରକୁ ଯିବା ଆସିବା ଥିଲା । ଘର ସହ ମିଶିବା ପରେ ସାମ୍ବାଦିକ ଦବଦବା ଦେଖାଇ ଔଷଧ ଦୋକାନୀଙ୍କ ପତ୍ନୀ ଏବଂ ଶାଶୁଙ୍କୁ ପାର୍କକୁ ଆଣି ଧମକ ଚମକ ଦେଇ ସମ୍ପର୍କ ରଖିବାକୁ ଦାବିକରେ । ଇତି ମଧ୍ୟରେ ଅଶୋକ ଯୋଜନା କରି ନିଜ ସ୍ତ୍ରୀ କୁ ଗାଁକୁ ପଠାଇ କୌଶଳ କ୍ରମେ ମହିଳା ଏବଂ ତାଙ୍କ ମାକୁ ଆଣି ବାସନ୍ତି କଲୋନୀ ଘରେ ରଖି ଅସଦାଚରଣ କରିବା ସହ ତାଙ୍କ ମୋବାଇଲ ନେଇଯାଏ । ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀକୁ ନପାଇ ତଂଗରପାଲି ଥାନାରେ ଏକ ନିଖୋଜ ରିପୋର୍ଟ ଦେବାପରେ ପୋଲିସ ଖୋଜି ପାରିନଥିଲେ ।

ତେବେ ମହିଳା ଜଣଙ୍କ କୌଣସିମତେ ଏକ ମୋବାଇଲ ଫୋନ ଯୋଗାଡ଼ କରି ନିର୍ୟ୍ୟାତନା ଏବଂ ଅସଦାଚରଣ ବାବଦରେ ନିଜ ଭଉଣୀକୁ କହିବା ପରେ ତାଙ୍କ ଭଉଣୀ ଏହା ରେକର୍ଡ କରି ରାଉରକେଲା ପୋଲସ ଉଚ୍ଚ ଅଧିକାରୀଙ୍କୁ ଦେଲେ । ରେକର୍ଡ଼ିଂ ପାଇବାପରେ ଏସପି ଙ୍କ ନିର୍ଦେଶ କ୍ରମେ ଉଦିତନଗର ପୋଲିସ ମହିଳା ଏବଂ ତାଙ୍କ ମା କୁ ଉଦ୍ଧାର କରିବା ସହ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ଗିରଫ କରିଛନ୍ତି ।