ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କାର୍ଯ୍ୟାଳୟରେ ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର, ଡିଏଫଓ ନିତୀଶ କୁମାର ଓ ଉପଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ, ଲୋଇସିଂହା ବିଡିଓ, ତହସିଲଦାର ଉପସ୍ଥିତ ଥିଲେ । ଏଥିରେ ଅଞ୍ଚଳର ମୋଟ ୯୬ଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୭୮ଟି ବ୍ୟକ୍ତିଗତ ଓ ଅବଶିଷ୍ଟ ୧୮ଟି ଗ୍ରାମ୍ୟ ସମସ୍ୟାମୂଳକ ସାମୁହିକ ଅଭିଯୋଗ ଦରଖାସ୍ତ ଥିଲା । ଏହି ଅବସରରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁମେଇପାଲି ଗ୍ରାମର କେଶବ ସାହୁ ଓ ସୁମିତ୍ରା ସାହୁଙ୍କୁ ୨ଲକ୍ଷ ୫୦ ହଜାର ଟଙ୍କାର ଚେକ ଜିଲ୍ଲାପାଳ ପ୍ରଦାନ କରିଥିଲେ । ସେହିପରି ଶାନ୍ତି ଭୁଏଙ୍କ ବିଧବା ଭତ୍ତା ମଞ୍ଜୁର କରାଯାଇ ମଞ୍ଜୁର ପତ୍ର ପ୍ରଦାନ କରାଯାଇଥିଲା । ଚିକିତ୍ସା ସହାୟତା ବାବଦରେ ଲୋଇସିଂହାର ଭଗବାନ ରଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।