ଜେଏନୟୁର ଦୀକ୍ଷାନ୍ତ ସମାରୋହକୁ ତ୍ୟାଗ କରି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି

ଫି' ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଜେଏନୟୁର ୩ୟ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେଉଥିବାବେଳେ ଏହାକୁ ତ୍ୟାଗ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରଛାତ୍ରୀମାନେ ବିକ୍ଷୋଭ ସମୟରେ ବ୍ୟାରିକେଡ୍‌ ଭାଙ୍ଗିଦେବାରୁ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି।

ବିଶ୍ଵବିଦ୍ୟାଳୟରେ ଫି’କୁ ଅହେତୁକ ବୃଦ୍ଧି କରାଯାଇଥିବାରୁ ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏ ଦିଗରେ କର୍ତ୍ତୃପକ୍ଷ ନିରବ ରହିଥିବାବେଳେ ସେମାବାର ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାନ ନିଶଙ୍କ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ତେବେ ଛାତ୍ରଛାତ୍ରୀମାନେ ଏହି ସମାରୋହକୁ ତ୍ୟାଗ କରି କ୍ୟାମ୍ପସ ବାହାରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ।

ସେମାନଙ୍କୁ ଅଟକାଇବା ଲାଗି ବହୁ ସଂଖ୍ୟାରେ ଯବାନ ଏବଂ ପୁଲିସ ମୁତୟନ ହୋଇଥିଲେ। ବିକ୍ଷୋଭ ବେଳେ କେତେଜଣ ଛାତ୍ରଛାତ୍ରୀ ବ୍ୟାରିକେଡ୍‌ ଭାଙ୍ଗିବାରୁ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଯେ ପର୍ୟ୍ୟନ୍ତ ଫି’ ବୃଦ୍ଧିକୁ ହ୍ରାସ କରାଯାଇ ନାହିଁ ସେପର୍ୟ୍ୟନ୍ତ ଦୀକ୍ଷାନ୍ତ ସମାରୋହକୁ ସେମାନେ ଗ୍ରହଣ କରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।