ଅସ୍ତ୍ରଶସ୍ତ୍ର ସହ ନବ ନିଯୁକ୍ତ ‘ଜେଇଏମ୍‌’ ଆତଙ୍କବାଦୀଙ୍କୁ ଗିରଫ କଲା ବନ୍ଦୀପୋରା ପୁଲିସ

କାଶ୍ମୀର,ଏଜେନ୍ସି: ଉତ୍ତର କଶ୍ମୀର ଅନ୍ତର୍ଗତ ବନ୍ଦୀପୋରା ଜିଲ୍ଲାରୁ ନବ ନିଯୁକ୍ତ ଜଣେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ସହ ଜାମ୍ମୁ ଓ କାଶ୍ମୀର ପୁଲିସ ଗିରଫ କରିଛି। ଏନେଇ ବନ୍ଦୀପୋରା ‘ଏସ୍‌ଏସ୍‌ପି’ ରାହୁଲ୍‌ ମଲିକ କହିଛନ୍ତି, ସୋପୋରରୁ ବନ୍ଦୀପୋରା ମଧ୍ୟରେ ଆତଙ୍କବାଦୀମାନେ ଗମନାଗମନ କରୁଥିବା ସମ୍ପର୍କରେ ସୂଚନା ମିଳିବା ପରେ ବନ୍ଦୀପୋରା ପୁଲିସ ଏବଂ ନିରାପତ୍ତା ବଳର ଏକ ମିଳିତ ଟିମ୍ ପାତୁସେ ଠାରେ ଜଗି ରହିଥିଲେ। ଯାଞ୍ଚ ସମୟରେ ବନ୍ଦୀପୋରା ଅନ୍ତର୍ଗତ ପାଞ୍ଜିଗାମ ବାସିନ୍ଦା ଇମତିଆଜ୍‌ ଅହମ୍ମଦ୍‌ ଖାଁଙ୍କୁ ଗିରଫ କରାଯାଇଛି।

ଗୋଟିଏ ପିସ୍ତଲ, ଗୋଟିଏ ମାଗାଜିନ୍‌, ୯ ଏମଏମର ୧୦ଟି ଗୁଳି ଏବଂ ୫ଟି ଗ୍ରେନେଡ୍‌ ଭଳି ଆଗ୍ନେୟାସ୍ତ୍ର ତାଙ୍କ ଠାରୁ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ଦେଇଥିବା ଲିଖିତ ବିବୃତିରେ ଉଲ୍ଲେଖ ଅଛି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜେଇଏମ୍‌’ରେ ଗିରଫ ବ୍ୟକ୍ତି ଜଣଙ୍କ ନିକଟରେ ଯୋଗ ଦେଇଥିଲେ।